ଗୟା: ବିହାରର ଗୟା ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। ଏକ ସ୍କୁଲ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ମୁଖ୍ୟ ଜୀତନ ରାମ ମାଂଝୀଙ୍କ ଉପରେ ଖୋଲାଖୋଲି ପଥର ମାଡ଼ କରାଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଆକ୍ରମଣରୁ ମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୟାର ଖିଜରସରାଇ ଅଞ୍ଚଳରେ ଥିବା ସେଣ୍ଟ୍ ଥୋମାସ୍ ଇଂରାଜୀ ମାଧ୍ୟମିକ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାଂଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚ ଉପରକୁ ଯାଇ ଭାଷଣ ଦେବା ପାଇଁ ସେ ଯେମିତି ଠିଆ ହୋଇଛନ୍ତି, ହଠାତ୍ ବାହାର ପଟୁ କେହି ଜଣେ ତାଙ୍କ ଆଡ଼କୁ ଏକ ପଥର ଫିଙ୍ଗିଥିଲା। ପଥରଟି ମନ୍ତ୍ରୀଙ୍କ ଦେହରେ ବାଜି ନଥିଲେ ସୁଦ୍ଧା, ତାଙ୍କ ଠିକ୍ ପଛରେ ଠିଆ ହୋଇଥିବା ଜଣେ ବଡିଗାର୍ଡଙ୍କ ଦେହରେ ବାଜିଥିଲା। ସେହି ସୁରକ୍ଷାକର୍ମୀ ଜଣକ ଆହତ ହୋଇଛନ୍ତି।
ଏହି ଘଟଣା ପରେ ସଭାସ୍ଥଳରେ ହଠାତ୍ ଭୟ ଓ ଆତଙ୍କ ଖେଳିଯାଇଥିଲା। ସୁରକ୍ଷାକର୍ମୀମାନେ ତୁରନ୍ତ ମନ୍ତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଅନ୍ୟପଟେ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାସ୍ଥଳରୁ ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଆକ୍ରମଣ ପଛରେ କାହାର ହାତ ଅଛି ଏବଂ ଏହା କୌଣସି ପୂର୍ବ ଯୋଜନା ଥିଲା କି ନାହିଁ, ତାହା ପୋଲିସ ଖୋଳତାଡ଼ କରୁଛି।
ସୂଚନାଯୋଗ୍ୟ ଯେ, ନିକଟରେ ମାଂଝୀଙ୍କ ସମ୍ପର୍କୀୟ ତଥା ବାରାଚଟି ବିଧାୟିକା ଜ୍ୟୋତି ଦେବୀଙ୍କ ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହା ପରେ ମାଂଝୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଏତେ ସବୁ ବିବାଦ ଏବଂ ଧମକ ପରେ ବି କେନ୍ଦ୍ରମନ୍ତ୍ରୀଙ୍କ ଭଳି ଜଣେ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାରେ ଏଭଳି ବଡ଼ ତ୍ରୁଟି ଏବେ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।