Latest Odisha News

BREAKING NEWS

Heritage Conservation:ଐତିହ୍ୟ ସଂରକ୍ଷଣ ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ IIT ଖଡ଼ଗପୁର, SPA ଭୋପାଳ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର:ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି,ଖଡ଼ଗପୁର ଏବଂ ସ୍କୁଲ ଅଫ୍ ପ୍ଲାନିଙ୍ଗ ଆଣ୍ଡ ଆର୍କିଟେକ୍‌ଚର,ଭୋପାଳ ମଧ୍ୟରେ ଏକ ଅଣ ଆର୍ଥିକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଓଡ଼ିଶାର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି, ସ୍ଥାପତ୍ୟ, ମନ୍ଦିର, ଐତିହାସିକ ସ୍ଥାନ ଗୁଡ଼ିକର ସଂରକ୍ଷଣ କରିବା ପରିପ୍ରେକ୍ଷୀରେ ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥଳୀ ଓ ସ୍ଥାପତ୍ୟକୁ ସଂରକ୍ଷଣ କରିବା ଦିଗରେ କାର୍ଯ୍ୟ କରାଯିବା ସହ ଡ଼ିଜିଟାଲ ଦସ୍ତାବିଜ ପ୍ରସ୍ତୁତ କରିବା ନିମନ୍ତେ କାର୍ଯ୍ୟ କରାଯିବ।

ଏଲଆଇଡ଼ିଆର, ଥ୍ରୀଡ଼ି ଆନିମେସନ୍‌, ଡିଜିଟାଲ ମ୍ୟାପିଙ୍ଗ, ଜିଓଗ୍ରାଫିକ ଇନ୍‌ଫରମେସନ୍‌ ସିଷ୍ଟମ୍, ରିମୋଟ ସେନ୍‌ସିଙ୍ଗ ଆଦି ପ୍ରଯୁକ୍ତିବିଦ୍ୟାର ସହଯୋଗରେ ଐତିହ୍ୟ କୀର୍ତ୍ତିରାଜି, ସ୍ଥାପତ୍ୟ, ମନ୍ଦିର, ଐତିହାସିକ ସ୍ଥାନ ଗୁଡ଼ିକର ସଂରକ୍ଷଣ କରାଯିବା ସହ ଏହାର ବିକାଶ ନିମନ୍ତେ ପଦକ୍ଷେପ ନିଆଯିବ।

ଓଡ଼ିଶାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀନରେ ଥିବା ପ୍ରାୟ ୮୨ ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ପ୍ରାୟ ୨୧୨ ଟି ଐତିହାସିକ କୀର୍ତ୍ତିରାଜିର ବିକାଶ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, “ଆମ ଐତିହ୍ୟ ଓ ସ୍ଥାପତ୍ୟ ହେଉଛି ଆମ ଗୌରବ। ଏହା ଆମ ରାଜ୍ୟ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ଆମ ରାଜ୍ୟର ଐତିହ୍ୟ ସ୍ଥଳୀଗୁଡ଼ିକର ସଂରକ୍ଷଣ କରିବା ଏବଂ ଆଗାମୀ ପିଢ଼ିକୁ ଏହାର ସ୍ୱତନ୍ତ୍ରତା ସମ୍ବନ୍ଧରେ ଅବଗତ କରାଇବା ହେଉଛି ଆମ କର୍ତ୍ତବ୍ୟ। ଆଜିର ଏହି ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଆମେ ଆମ ଐତିହ୍ୟ ଓ ସ୍ଥାପତ୍ୟକୁ ସଂରକ୍ଷଣ କରିବା ସହ ଏହାର ଯେପରି ବିକାଶ ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଯାଉଛୁ। ଏଥିସହ ଐତିହ୍ୟ କୀର୍ତ୍ତିରାଜି, ସ୍ଥାପତ୍ୟ, ମନ୍ଦିର ଓ ଐତିହାସିକ ସ୍ଥାନଗୁଡ଼ିକର ସୁରକ୍ଷାକୁ ମଧ୍ୟ ପ୍ରଧାନ୍ୟ ଦିଆଯିବ”, ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଏଥିସହ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଆଇଆଇଟି ଖଡ଼ଗପୁରରେ ଐତିହ୍ୟ ଓ ସ୍ଥାପତ୍ୟର ସଂରକ୍ଷଣ କ୍ଷେତ୍ରରେ ଇଣ୍ଟର୍ନସିପ୍ କରିବା ପାଇଁ ଓଡ଼ିଶାର ୧୦ଜଣ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ ବୋଲି ଆଜିର ବୈଠକରେ ଘୋଷଣା କରାଯାଇଛି।

ଆଜିର ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼.ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଉପ ନିର୍ଦ୍ଦେଶକ ଡ଼. ଦେବଯାନୀ ଭୂୟାଁ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଆଇଆଇଟି ଖଡ଼ଗପୁରର ପ୍ରଫେସର ଶ୍ରୀ ଗୌରବ ଦାସ ମହାପାତ୍ର, ସ୍କୁଲ ଅଫ୍ ପ୍ଲାନିଙ୍ଗ ଆଣ୍ଡ ଆର୍କିଟେକ୍‌ଚରର ନିର୍ଦ୍ଦେଶକ ପ୍ରଫେସର କୈଳାସ ରାଓ, ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।


 

Leave A Reply

Your email address will not be published.