ନୂଆଦିଲ୍ଲୀ: ଚୀନ୍ର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଉତ୍ତର ଚୀନ୍ର ଶାଂସି ପ୍ରଦେଶର ଲିଉସେନ୍ୟୁ କୋଇଲା ଖଣିରେ ଗ୍ୟାସ୍ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୯୦ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ୨୪୭ ଜଣ ଶ୍ରମିକ ଭୂତଳରେ ଥିଲେ।
ଚୀନ୍ର ସରକାରୀ ଖବର ସଂସ୍ଥା ଜିନହୁଆ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୭:୨୯ ରେ ଏହି ଦୁର୍ଘଟଣା ଘଟିଥିଲା। ସେହି ସମୟରେ ଖଣି ଭିତରେ ମୋଟ ୨୪୭ ଜଣ ଶ୍ରମିକ କାମ କରୁଥିଲେ। ଏହି ବିସ୍ଫୋରଣ ପରେ ଶନିବାର ସକାଳ ସୁଦ୍ଧା ୨୦୧ ଜଣ ଶ୍ରମିକଙ୍କୁ ବାହାର କରାଯାଇଥିଲା ବେଳେ ଆହୁରି ୩୮ ଜଣ ଫସି ରହିଛନ୍ତି।
ଦୁର୍ଘଟଣା ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆହତଙ୍କ ଚିକିତ୍ସା ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ “ସମସ୍ତ ପ୍ରୟାସ” କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାରୁ ଶିକ୍ଷା ଗ୍ରହଣ କରିବାକୁ ପଡିବ ଏବଂ ଏପରି ବଡ଼ ଦୁର୍ଘଟଣାର ପୁନରାବୃତ୍ତି ନହେବା ପାଇଁ ସମସ୍ତ ବିଭାଗକୁ କର୍ମକ୍ଷେତ୍ର ସୁରକ୍ଷା ପ୍ରତି ସଜାଗ ରହିବା ଉଚିତ ବୋଲି ସେ କହିଛନ୍ତି।