ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଓଡ଼ିଶା। ଏକାଧିକ ସହରର ତାପମାତ୍ରା ଅସ୍ୱାଭାବିକ ସ୍ତରରେ ପହଞ୍ଚିଥିବା ବେଳେ, ଆକାଶରୁ ଖସୁଛି ନିଆଁ। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ତଥା ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାଜିଛି ଅଘୋଷିତ ବିଦ୍ୟୁତ୍ କାଟ। ପ୍ରତିବର୍ଷ ଗ୍ରୀଷ୍ମ ପୂର୍ବରୁ ସରକାର ଏବଂ ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀଗୁଡ଼ିକ (Discoms) ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବାର ଯେଉଁ ଡିଣ୍ଡିମ ପିଟୁଥିଲେ, ତାହାର ବାସ୍ତବ ଚିତ୍ର ଏବେ ପଦାରେ ପଡ଼ିଛି।
ପ୍ରବଳ ଗରମ ଓ ଗୁମଗୁମି ଗୁଳଗୁଳିରୁ ତ୍ରାହି ପାଇବା ପାଇଁ ଏସି ଏବଂ କୁଲରର ବ୍ୟବହାର ବୃଦ୍ଧି ପାଇଛି, ଯାହା ଫଳରେ ବିଦ୍ୟୁତ୍ ଚାହିଦା ରେକର୍ଡ ସ୍ତର ଛୁଇଁଛି। କିନ୍ତୁ ଏହି ବର୍ଦ୍ଧିତ ଚାହିଦାକୁ ପୂରଣ କରିବାକୁ ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମି ସମ୍ପୂର୍ଣ୍ଣ ଅସମର୍ଥ ସାବ୍ୟସ୍ତ ହୋଇଛି। ଟ୍ରାନ୍ସଫର୍ମର ପୋଡ଼ିଯିବା, ଲୋ-ଭୋଲଟେଜ୍ ସମସ୍ୟା ଏବଂ ନିମ୍ନମାନର ତାର ଯୋଗୁଁ ସହରାଞ୍ଚଳରୁ ଆରମ୍ଭ କରି ଉପାନ୍ତ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ରହୁଛି। ରକ୍ଷଣାବେକ୍ଷଣ ନାମରେ ଦିନଦିନ ଧରି ଲାଇନ୍ କାଟ୍ କରାଯାଉଥିବାରୁ ଏହା ଏବେ ନିତିଦିନିଆ ସମସ୍ୟାରେ ପରିଣତ ହୋଇଛି।
ଦିନରେ ସୂର୍ଯ୍ୟଙ୍କ ପ୍ରକୋପ ତ ବାହାରକୁ ବାହାରିବା ମୁସ୍କିଲ୍ କରିଦେଇଛି, ଆଉ ରାତିରେ ବିଦ୍ୟୁତ୍ କାଟ୍ ଲୋକଙ୍କ ନିଦ ହଜାଇ ଦେଇଛି। ବିଶେଷ କରି ଶିଶୁ, ବୃଦ୍ଧବୃଦ୍ଧା ଏବଂ ରୋଗୀମାନେ ଏହି ଗରମରେ ଡହଳବିକଳ ହେଉଛନ୍ତି। ଏହାବ୍ୟତୀତ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ କ୍ଷୁଦ୍ର ଶିଳ୍ପଗୁଡ଼ିକ ମଧ୍ୟ ବ୍ୟାପକ କ୍ଷତି ସହୁଛନ୍ତି।
ଲୋକଙ୍କ ଅଭିଯୋଗ ହେଉଛି ଯେ, ବିଦ୍ୟୁତ୍ ବିଲ୍ ଆଦାୟ କରିବା ପାଇଁ ବଣ୍ଟନକାରୀ କମ୍ପାନୀମାନେ ଯେତିକି କଠୋର ପଦକ୍ଷେପ ନେଉଛନ୍ତି, ଗୁଣାତ୍ମକ ସେବା ଯୋଗାଇବାରେ ସେତିକି ଆନ୍ତରିକତା ଦେଖାଉ ନାହାନ୍ତି। ଫଳସ୍ୱରୂପ, ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଏବେ ରାସ୍ତାକୁ ଓହ୍ଲାଇଲେଣି। ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ, ରାସ୍ତାରୋକ ଏବଂ ବିଭାଗୀୟ କର୍ମଚାରୀଙ୍କୁ ଅଟକ ରଖିବା ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି।
ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ କୌଣସି ନୂଆ କଥା ନୁହେଁ, ତେବେ ଏହାକୁ ଆଗୁଆ ଆକଳନ କରି ଭିତ୍ତିଭୂମି ସୁଦୃଢ଼ କରିବାରେ ବିଭାଗ କାହିଁକି ବିଫଳ? ବର୍ଷ ବର୍ଷ ଧରି କେବଳ ତାଳିପକା ନୀତିରେ ବିଦ୍ୟୁତ୍ ବିଭାଗ ଚାଲିଛି। ଯଦି ସରକାର ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ ନକରନ୍ତି, ତେବେ ଆଗାମୀ ଦିନରେ ଏହି ଜନଅସନ୍ତୋଷ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ।