ଭୁବନେଶ୍ୱର: ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଜାରି ରହିଥିବାବେଳେ ଖରାତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଶନିବାର ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ, ବରଗଡ, ଅନୁଗୋଳ, ସୋନପୁର, ବୌଦ୍ଧ ଓ ନୟାଗଡରେ ପ୍ରବଳ ତାତି ଅନୁଭୂତ ହେବନେଇ ଏସବୁ ଜିଲ୍ଲାକୁ ହିଟ ୱେଭ୍ ସତର୍କ ସୂଚନା ଜାରି କରାଯାଇଛି ।
ଅନ୍ୟପଟେ, ଆସନ୍ତା ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ରହିବ । ଏହି ସମୟରେ ତାତିରୁ ସତର୍କ ରହିବା ପାଇଁ ଗାଇଡ ଲାଇନ ଜାରି ହୋଇଛି । ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍ତି ଯେ, ଅତ୍ୟନ୍ତ ଜରୁରୀ କାମ ନଥିଲେ ଘରୁ ବାହରନ୍ତୁ ନାହିଁ । ଯଦି କୌଣସି କାର୍ଯ୍ୟରେ ଘରୁ ବାହାରିଛନ୍ତି, ତେବେ ସାଙ୍ଗରେ ପାଣି ବୋତଲ, ଛତା, ଜୋତା ନେଇ ବାହାରନ୍ତୁ ।
ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଏନଏସି ଏବଂ ମୁନିସିପାଳିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିଇବା ପାଣି ଵ୍ୟଵସ୍ଥା କରାଯାଇଛି । ଏଭଳି ସ୍ଥିତି ରାଜ୍ୟରେ ଜୁନ୍ ୨ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ତେବେ ବଲାଙ୍ଗୀର ପରି ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ରାତିରେ ଉଷ୍ମତା ଅନୁଭୂତ ହେବାର ସମ୍ଭାବନା ରହିଛି । ଏହା ସହିତ ବାଲେଶ୍ୱର, ଯାଜପୁର, ଜଗତସିଂହପୁର, କେନ୍ଦୁଝର, କଟକ, ଦେବଗଡ, ଢେଙ୍କାନାଳ, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ଉଷ୍ଣ ଓ ଆର୍ଦ୍ର ପାଣିପାଗ ଅର୍ଥାତ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ରବିବାର ମଧ୍ୟ ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ବୌଦ୍ଧ ଓ ବଲାଙ୍ଗୀର ଜିଲାରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଥିବାବେଳେ ୧୮ ଜିଲ୍ଲାରେ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।