Latest Odisha News

BREAKING NEWS

ଏନକାଉଣ୍ଟର ପରେ ବି କମୁନି ଖାତିର୍: ବ୍ରହ୍ମପୁର ବିଚ୍ ରାସ୍ତା ଉପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପୁଣି ଅପରାଧୀଙ୍କ ଦୌରାତ୍ମ୍ୟ ସାମ୍ନାକୁ ଆସିଛି। ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ଅଞ୍ଚଳରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଆକ୍ରମଣରେ ବଡ଼ବଜାର ଅଞ୍ଚଳର ମଙ୍ଗଳା ବେହେରା ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ରାତି ପ୍ରାୟ ୯ଟା ସମୟରେ ମଙ୍ଗଳା ଅମ୍ବିକା ନଗର ଛକକୁ ଫାଷ୍ଟଫୁଡ୍ ଖାଇବାକୁ ଯାଇଥିଲେ। ସେ ଏକୁଟିଆ ଥିବା ବେଳେ ୨ରୁ ୩ ଜଣ ଯୁବକ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ପ୍ରଥମେ ତାଙ୍କୁ ଗାଳିଗୁଲଜ କରାଯାଇଥିଲା। ପରେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।

ଆକ୍ରମଣକାରୀମାନେ ମଙ୍ଗଳାଙ୍କୁ ରାସ୍ତା ଉପରେ ପକାଇ ଏକାଧିକ ଚୋଟ ପକାଇଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ତଥା ଏମକେସିଜି ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା କୁହାଯାଉଛି।

ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ମଙ୍ଗଳାଙ୍କ ଗତିବିଧି ଉପରେ ପୂର୍ବରୁ ନଜର ରଖି ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଘଟାଯାଇଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ, ମଙ୍ଗଳା ବେହେରା ଏକ ବୋମାମାଡ଼ ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲ୍ ଯାଇଥିଲେ। ୪ ଦିନ ତଳେ ସେ ଜାମିନରେ ମୁକୁଳିଥିବା ସୂଚନା ମିଳିଛି। ଏହି ପୂର୍ବ ଘଟଣା ସହ ଆକ୍ରମଣର କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି।

ଘଟଣା ପରେ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଧରପଗଡ଼ ଆରମ୍ଭ ହୋଇଛି। ବ୍ରହ୍ମପୁର ଏସ୍‌ପି ଡାକ୍ତର ଶରବଣା ବିବେକ ଏମ୍‌ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ମଙ୍ଗଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବ୍ରହ୍ମପୁରରେ ଗତ କିଛି ଦିନ ଧରି ଏଭଳି ଅପରାଧିକ ଘଟଣା ବଢ଼ିବାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଛି। ଗତ ସପ୍ତାହରେ ଖୋଡ଼ାସିଂ ଓଭରବ୍ରିଜ୍‌ରେ ଶ୍ୟାମ ବେହେରା ନାମକ ଯୁବକଙ୍କୁ ଠେଲି ହତ୍ୟା ଉଦ୍ୟମ ହୋଇଥିଲା। ସେହି ମାମଲାରେ ଅଭିଯୁକ୍ତ ଦିପୁନା ନାୟକକୁ ପୋଲିସ ଏନ୍‌କାଉଣ୍ଟର କରିଥିଲା।

ସେହିପରି ଗତ ୧୮ ତାରିଖରେ ଗିରି ରୋଡ୍‌ରେ ଉମେଶ ରଥଙ୍କୁ ନିର୍ଘାତ ମାଡ଼ ମାରିବା ଘଟଣା ମଧ୍ୟ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁକ୍ତେଶ ସାହୁକୁ ପୋଲିସ ଏନ୍‌କାଉଣ୍ଟର କରିଥିଲା ଓ ଆଉ ୪ ଜଣଙ୍କୁ ଗିରଫ କରାଯାଇଥିଲା।

ପୋଲିସର କଡ଼ା ଚେତାବନୀ ସତ୍ତ୍ୱେ ସହରରେ ଏଭଳି ଆକ୍ରମଣ ଘଟିବା ଆଇନ ଶୃଙ୍ଖଳାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.