କଟକ: ବିଜେଡି ରାଜନୀତିରେ ପୁଣି ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିପାରନ୍ତି ବୋଲି ରାଜନୈତିକ ମହଲରେ ଜୋରଦାର ଆଲୋଚନା ଚାଲିଛି। ଦେବାଶିଷ ଏବେ ରାଜ୍ୟ ବାହାରେ ଥିବାରୁ ଏନେଇ ତାଙ୍କର କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନା ଅନୁଯାୟୀ, ଦେବାଶିଷ ସାମନ୍ତରାୟ ବିଜେଡି ସହିତ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇପାରନ୍ତି। ଏହା ପରେ ସେ ବିଜେପିରେ ସାମିଲ ହେବା ଓ ପୁଣିଥରେ ରାଜ୍ୟସଭାକୁ ଯିବା ନେଇ ଚର୍ଚ୍ଚା ବଢ଼ିଛି। ଯଦି ଏହି ରାଜନୈତିକ ଘଟଣାକ୍ରମ ସତ ହୁଏ, ତେବେ କଟକ ରାଜନୀତିରେ ଏହା ବଡ଼ ପରିବର୍ତ୍ତନର ସଙ୍କେତ ହୋଇପାରେ।
ଦେବାଶିଷ ସାମନ୍ତରାୟ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ନେତା ଭାବେ ପରିଚିତ ଥିଲେ। କିନ୍ତୁ ଗତ କିଛି ସମୟ ଧରି ଦଳ ଭିତରେ ତାଙ୍କର ଅସନ୍ତୋଷ ବଢ଼ିଥିବା ନେଇ ଚର୍ଚ୍ଚା ହେଉଥିଲା। ତାଙ୍କ ଅନୁଗାମୀମାନଙ୍କୁ ଦଳରେ ଆବଶ୍ୟକ ଗୁରୁତ୍ୱ ଦିଆଯାଉନଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ବିଜେଡି ପକ୍ଷରୁ ଦେବାଶିଷଙ୍କୁ ବରିଷ୍ଠ ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା। ତେବେ ସେ ଏହି ପଦକୁ ଗ୍ରହଣ କରିନଥିବା କୁହାଯାଉଛି। ଗତ କିଛି ମାସ ଧରି ସେ ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସମ୍ପର୍କରେ ସାର୍ବଜନୀନ ଭାବେ କୌଣସି ମତାମତ ଦେବାରୁ ଦୂରେଇ ରହିଥିଲେ।
ରାଜନୈତିକ ମହଲରେ ଆକଳନ ହେଉଛି, ଯଦି ଦେବାଶିଷ ବିଜେପିରେ ଯୋଗ ଦିଅନ୍ତି, ତେବେ ଏହାର ପ୍ରଭାବ କେବଳ କଟକରେ ସୀମିତ ରହିବ ନାହିଁ। ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ଦେବାଶିଷଙ୍କ ରାଜନୈତିକ ଅଭିଜ୍ଞତା ଓ ସଂଗଠନ ଭିତରେ ତାଙ୍କର ପୂର୍ବ ପ୍ରଭାବକୁ ଦେଖି ଏହି ଚର୍ଚ୍ଚାକୁ ହାଲୁକା ଭାବେ ନିଆଯାଉନାହିଁ। ତେବେ ଏପର୍ଯ୍ୟନ୍ତ ଦେବାଶିଷ ସାମନ୍ତରାୟ କିମ୍ବା ବିଜେଡି ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ଓ୍ୱାକଫ ବିଲ ବେଳେ ସଂସଦରେ ବିଜେଡି ବିଜେପିକୁ ହଠାତ୍ ସମର୍ଥନ ଘୋଷଣା କରିଥିଲା। ଏହାକୁ ଦେବାଶିଷ ଖୋଲାଖୋଲି ବିରୋଧ କରିଥିଲେ। ସେବେଠାରୁ ସେ ଦଳରେ ଅସନ୍ତୋଷ ଥିବା ନେଇ ସୂଚନା ରହିଛି। କିନ୍ତୁ ଯେଉଁ ଦଳର ସରକାରର ନୀତିକୁ ଦେବାଶିଷ ବିରୋଧ କରୁଥିଲେ ସେହି ଦଳକୁ ସେ ପୁଣି ଯିବା ନେଇ ଚର୍ଚ୍ଚା ବଢ଼ିଛି।

Comments are closed.