ଜୟପୁର: ଜୟପୁର ପୋଷ୍ଟାଲ୍ ଡିଭିଜନ୍ ଅଧୀନରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯାଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ, ପ୍ରାୟ ୫ ହଜାରରୁ ଅଧିକ ଜମାଖାତାରୁ ୫୦ କୋଟି ଟଙ୍କା ଗାଏବ ହୋଇଥିବା କୁହାଯାଇଛି।
ଡିଜିଟାଲ୍ ମନି ଟ୍ରାନ୍ସଫର୍ ପାଇଁ ବ୍ୟବହୃତ ଡାକ ବିଭାଗର ସଫ୍ଟୱେରକୁ ହ୍ୟାକ୍ କରାଯାଇଥିବା ଅଭିଯୋଗ ରହିଛି। ମୋବାଇଲ୍ ନମ୍ବର ବଦଳାଇବା ସହ ମୂଳ କେୱାଇସି ତଥ୍ୟକୁ ହଟାଇ ଟଙ୍କା ଆତ୍ମସାତ କରାଯାଇଥିବା କୁହାଯାଉଛି। ଏନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସିବିଆଇ ତଦନ୍ତ ଦାବି କରିଛନ୍ତି। ହିତାଧିକାରୀଙ୍କ ଟଙ୍କା ତୁରନ୍ତ ଫେରାଯାଇନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଜୟପୁର ପୋଷ୍ଟାଲ୍ ଡିଭିଜନ୍ ଅଧୀନରେ ୭୦୦ଟି ଗ୍ରାମୀଣ ପୋଷ୍ଟ ଅଫିସ ଓ ୪୧ଟି ସବ୍ ପୋଷ୍ଟ ଅଫିସ ରହିଛି। ଏହି ଡିଭିଜନ୍ରେ ୨୫ ହଜାରରୁ ଅଧିକ ଆକାଉଣ୍ଟ ଥିବାବେଳେ ପାଖାପାଖି ୫ ହଜାର ଆକାଉଣ୍ଟରୁ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଅଧିକାଂଶ ଘଟଣା ସବ୍ ପୋଷ୍ଟ ଅଫିସ ମାଧ୍ୟମରେ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
କୋଡ଼ିଗାଁ ସବ୍ ପୋଷ୍ଟ ମାଷ୍ଟର ନିଜ ନାଁରେ ୯୦ଟି ଆକାଉଣ୍ଟ ଖୋଲିଥିବା ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି। ମୂଳ ହିତାଧିକାରୀଙ୍କ ମୋବାଇଲ୍ ନମ୍ବର ବଦଳାଇ ଦିଆଯାଇଥିବାରୁ ଟଙ୍କା ଉଠାଣ ସମ୍ପର୍କରେ ସେମାନେ କୌଣସି ସୂଚନା ପାଇପାରୁନଥିଲେ। ଏହା ଫଳରେ ହିତାଧିକାରୀ ନଜାଣିବାରେ ଆକାଉଣ୍ଟରୁ ଟଙ୍କା ଉଠାଯାଇଥିବା ଅଭିଯୋଗ ହେଉଛି।
ଝରିଗାଁ ସବ୍ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ ମଧ୍ୟ ହିତାଧିକାରୀଙ୍କ ଆକାଉଣ୍ଟରୁ ୭ ଲକ୍ଷ ୭୦ ହଜାର ଟଙ୍କା ଆତ୍ମସାତ ଅଭିଯୋଗ ରହିଛି। ବିଭାଗୀୟ ତଦନ୍ତ ସମୟରେ ଟଙ୍କା ଆତ୍ମସାତ କଥା ସ୍ୱୀକାର କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଝରିଗାଁ, ଡାବୁଗାଁ ଓ କୋଡ଼ିଙ୍ଗା ସବ୍ ପୋଷ୍ଟ ଅଫିସରେ ବିନା କେୱାଇସିରେ ଟଙ୍କା ଉଠାଣ ହୋଇଥିବା ମଧ୍ୟ ତଦନ୍ତରୁ ସୂଚନା ମିଳିଛି।
ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏହି ଦୁର୍ନୀତିରେ କେବଳ ସବ୍ ପୋଷ୍ଟ ମାଷ୍ଟର ନୁହେଁ, ଟେଲି କମ୍ୟୁନିକେସନ୍ ବିଭାଗ ଓ ଡାକ ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ମଧ୍ୟ ଥାଇପାରେ। ଡିଜିଟାଲ୍ ପେମେଣ୍ଟ ଓ ୟୁପିଆଇ ବିଷୟରେ ପୂରା ଅବଗତ ନଥିବା ଗ୍ରାମାଞ୍ଚଳର ହିତାଧିକାରୀଙ୍କୁ ଟାର୍ଗେଟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ମନରେଗା ସହିତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଟଙ୍କା ପୋଷ୍ଟ ଅଫିସ ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁଥିଲା। ଯେଉଁ ଆକାଉଣ୍ଟରୁ ଦୀର୍ଘଦିନ ଧରି ଟଙ୍କା ଉଠାଯାଉନଥିଲା, ସେଗୁଡ଼ିକୁ ଚିହ୍ନଟ କରି ଟଙ୍କା ଅନ୍ୟ ଆକାଉଣ୍ଟକୁ ନେଇଯାଇଥିବା ଅଭିଯୋଗ ହେଉଛି। ମୋବାଇଲ୍ ନମ୍ବର ବଦଳିଯାଇଥିବାରୁ ହିତାଧିକାରୀଙ୍କ ପାଖକୁ ଟଙ୍କା ଉଠାଣ ସମ୍ପର୍କିତ କୌଣସି ମେସେଜ୍ ଯାଉନଥିଲା।
ଏହି ଘଟଣାକୁ ନେଇ ବିଜେଡି ନେତାମାନେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଜେଡି ରାଜ୍ୟ ଉପସଭାପତି ଅଜୟ କୁମାର ମିଶ୍ର, ବରିଷ୍ଠ ବିଜେଡି ନେତା ସରୋଜ ପାତ୍ର, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର ଓ ଯୁବ ବିଜେଡି ନେତା ଧର୍ମେନ୍ଦ୍ର ଅଧିକାରୀ ପ୍ରମୁଖ ଏହି ଦାବି ଉଠାଇଛନ୍ତି।