ନୂଆଦିଲ୍ଲୀ: ଖରାପ ଫର୍ମ ଯୋଗୁ ଭାରତର ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଚୟନ କମିଟିଙ୍କ ରାଡାରରେ ରହିଛନ୍ତି । ସେ ଅଧିନାୟକ ପଦ ହରାଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଭାରତର ପୂର୍ବତନ ଚୟନ କମିଟି ମୂଖ୍ୟ ଏମଏସକେ ପ୍ରସାଦ ସ୍ପଷ୍ଟ ଭାବେ ସୂର୍ଯ୍ୟକୁମାରଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ତାଙ୍କୁ ଅଧିନାୟକ ପଦରୁ ହଟାଇବା ମସ୍ତବଡ ଭୁଲ ହେବ ବୋଲି ସେ କହିଛନ୍ତି । ତାଙ୍କ ନେତୃତ୍ୱରେ ଭବିଷ୍ୟତ ପାଇଁ ଅଧିନାୟକ ପ୍ରସ୍ତୁତ କରାଯାଉ । ଶ୍ରେୟାଶ ଆୟାର, ସଞ୍ଜୁ ସାମସନ, ତିଳକ ବର୍ମା ଓ ଈଶାନ କିଶାନଙ୍କ ପରି ଖେଳାଳି ଏହି ଦାୟିତ୍ୱ ଭଲ ଭାବେ ତୁଲାଇ ପାରିବେ ।
ସୂର୍ଯ୍ୟକୁମାର ଫର୍ମରେ ନ ରହିବା ନିଶ୍ଚିତ ଭାବେ ଚିନ୍ତାର କାରଣ । ଟି୨୦ରେ କିନ୍ତୁ ତାଙ୍କ ପରି ଜଣେ ଖେଳାଳି ମିଳିବା କଷ୍ଟ । ସେ ପଡିଆର ସମସ୍ତ ଦିଗକୁ ଶଟ ମାରିପାରନ୍ତି । ଟି୨୦ରେ ସର୍ବଦା ଅନ୍ୟଠାରୁ ଭିନ୍ନ ଖେଳାଳିଙ୍କ ଆବଶ୍ୟକ ରହିଛି । ଟେକିନକ ଦୃଷ୍ଟିକୋଣରୁ ସୂର୍ଯ୍ୟକୁମାରଙ୍କ ତୁଳନାରେ ଭଲ ବ୍ୟାଟ୍ସମ୍ୟାନ ଅଛନ୍ତି ମାତ୍ର ସ୍କାଏଙ୍କ ପରି କେହି ନାହାନ୍ତି । ସୂର୍ଯ୍ୟକୁମାର ଆଇପିଏଲରେ ୧୩ ମ୍ୟାଚରେ ୨୧ ଆଭରେଜରେ ୨୭୦ ରନ କରିଛନ୍ତି । ଏଥିରେ କେବଳ ୨ ଅର୍ଦ୍ଧଶତକ ରହିଛି । ଟି୨୦ ବିଶ୍ୱକପରେ ଭାରତ ତାଙ୍କ ନେତୃତ୍ୱରେ ଚାମ୍ପିୟନ ହୋଇଥିଲା । ସେଥିରେ ମଧ୍ୟ ତାଙ୍କ ବ୍ୟାଟ ନୀରବ ରହିଥିଲା । ସେ ୯ ମ୍ୟାଚରେ ୩୦ରୁ ଊର୍ଦ୍ଧ୍ୱ ଆଭରେଜରେ ୨୪୨ ରନ କରିଥିଲେ ।