Latest Odisha News

BREAKING NEWS

ମେ ୩୦ କିମ୍ବା ୩୧ରେ କେରଳ ଛୁଇଁପାରେ ମୌସୁମୀ, ଜାଣନ୍ତୁ ଓଡ଼ିଶା ପାଇଁ କଣ ରହିଛି ପୂର୍ବାନୁମାନ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି ଯେ ଚଳିତ ମାସ ୩୦ କିମ୍ବା ୩୧ ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହୋଇପାରେ। ସେହିପରି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ପାଣିପାଗ ମଡେଲକୁ ତର୍ଜମା କଲେ ମେ ୩୦ରୁ ଜୁନ ୩ ତାରିଖ ମଧ୍ୟରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

 

ଯଦି ବାୟୁମଣ୍ଡଳରେ ପରିବର୍ତ୍ତନ ପ୍ରକ୍ରିୟା ମନ୍ଥର ରହେ ଏବଂ ବାୟୁ ପ୍ରବାହ ଠିକ ଭାବରେ ସଂଗଠିତ ନହୁଏ, ତେବେ ମୌସୁମୀ ଆସିବାରେ ଆଉ ୧ରୁ ୩ ଦିନ ବିଳମ୍ବ ହୋଇପାରେ। ତେବେ ଏହି ବିଳମ୍ବର ଅର୍ଥ ନୁହେଁ ଯେ ମୌସୁମୀ ଦୁର୍ବଳ ହୋଇଯାଇଛି।

 

ବାସ୍ତବରେ ଆରବ ସାଗର ଏବଂ ଦକ୍ଷିଣ ଦ୍ୱୀପକଳ୍ପ ଅଞ୍ଚଳରେ ମୌସୁମୀ ପାଇଁ ବେଶ ଅନୁକୂଳ ପରିବେଶ ସୃଷ୍ଟି ହୋଇସାରିଲାଣି। ନିରନ୍ତର ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହ, ପଶ୍ଚିମ ଉପକୂଳରେ ସକ୍ରିୟ ଅଫ ସୋର ଟ୍ରଫ, ଦିନରେ କମ ତାପମାତ୍ରା ଏବଂ କେରଳ ତଥା ଲାକ୍ଷାଦ୍ୱୀପରେ ବ୍ୟାପକ ବର୍ଷା ମୌସୁମୀର ଏକ ଶକ୍ତିଶାଳୀ ଆଗମନକୁ ସୂଚାଉଛି।

 

ଅନ୍ୟପଟେ ଓଡ଼ିଶାରେ ମୌସୁମୀ ପହଞ୍ଚିବା ପୂର୍ବରୁ ପାଗରେ ଲଗାତାର ପରିବର୍ତ୍ତନ ଦେଖିବାକୁ ମିଳିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଗୁଳୁଗୁଳି ବଢିବା ସହ ରାତିରେ ଅଧିକ ଗରମ ଅନୁଭୂତ ହେବ। ଏହାସହ ବଜ୍ରପାତ ଏବଂ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ। ସେହିପରି ପଶ୍ଚିମ ଓଡ଼ିଶାବାସୀଙ୍କୁ ଆହୁରି କିଛି ଦିନ କଡ଼ା ଖରାର ସାମ୍ନା କରିବାକୁ ପଡିପାରେ।

 

ଡକ୍ଟର ପଶୁପାଳକଙ୍କ ସୂଚନା ମୁତାବକ, ଜୁନ ଆରମ୍ଭ ବେଳକୁ ଓଡ଼ିଶାରେ କାଳବୈଶାଖୀର ସକ୍ରିୟ ପ୍ରଭାବ ଦେଖିବାକୁ ମିଳିପାରେ। ଯଦି ବଙ୍ଗୋପସାଗରରେ ବାୟୁ ପ୍ରବାହ ଆଶାନୁରୂପ ଶକ୍ତିଶାଳୀ ନରୁହେ, ତେବେ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ମୌସୁମୀ ଅନୁଭୂତ ହେବାକୁ ଜୁନ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିଯାଇପାରେ।

Leave A Reply

Your email address will not be published.