ଭୁବନେଶ୍ୱର: ଶନିବାର ଅର୍ଥାତ ମେ ୩୦ ତାରିଖରୁ ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି।
ଏହି ପ୍ରକ୍ରିୟାରେ ବୁଥ୍ ଲେଭେଲ ଅଫିସର (BLO) ମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ସଂଶୋଧନ କରିବେ। ଯଦି କାହାର ଭୋଟର ପରିଚୟ ପତ୍ରରେ କୌଣସି ଭୁଲ ଥାଏ ତେବେ ଲୋକେ ସିଧାସଳଖ ନିଜ ବିଏଲଓଙ୍କ ଜରିଆରେ ତାହା ସଂଶୋଧନ କରିପାରିବେ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଯାଞ୍ଚ ସମୟରେ ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କ ନାମ ଭୋଟର ତାଲିକାରୁ ସିଧାସଳଖ ବାଦ ଦିଆଯିବ। ସାରା ରାଜ୍ୟରେ ଏହି ବୃହତ ଯାଞ୍ଚ ପ୍ରକ୍ରିୟା ପାଇଁ ମୋଟ ୪୫,୨୫୫ ଜଣ ବିଏଲଓଙ୍କୁ ନିୟୋଜିତ କରାଯାଇଛି।
ବିଏଲଓ ମାନେ ସକାଳ ସମୟରେ ଘର ଘର ବୁଲି ଯାଞ୍ଚ କରିବେ ଏବଂ ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ନିଜ ନିଜ ପୋଲିଂ ବୁଥରେ ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବେ। ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ସମସ୍ତ ପରିବାର ନିକଟରେ ପହଞ୍ଚିବାକୁ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି। ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ଯେ ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶେଷ ହୋଇସାରିଲାଣି।
ପ୍ରାଥମିକ ଯାଞ୍ଚ ବେଳେ ଭୋଟର ତଥ୍ୟରେ ପ୍ରାୟ ୧୭ ପ୍ରତିଶତ ତ୍ରୁଟି ଦେଖିବାକୁ ମିଳିଛି। ଏଥିରେ ବିଶେଷ କରି ଭୋଟରଙ୍କ ବୟସ, ନାମର ବନାନ ଏବଂ ପିତାମାତାଙ୍କ ନାମରେ ଭୁଲ ରହିଥିବା ଜଣାପଡିଛି। ଆଗାମୀ ନିର୍ବାଚନ ପୂର୍ବରୁ ଏକ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବିଏଲଓ ମାନେ ଫିଲ୍ଡ ଭେରିଫିକେସନ୍ ଜରିଆରେ ଏସବୁର ସମାଧାନ କରିବେ ବୋଲି ସିଇଓ କହିଛନ୍ତି।