ମୁମ୍ବାଇ:‘ଡନ୍ ୩’ ଶୁଟିଂ ଆରମ୍ଭ ହେବାର ମାତ୍ର ୧୦ ଦିନ ପୂର୍ବରୁ ରଣବୀର ସିଂ ହଠାତ୍ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ରଣବୀରଙ୍କ ଏହି ନିଷ୍ପତ୍ତି ଯୋଗୁଁ ନିର୍ଦ୍ଦେଶକ ଫରହାନ ଅଖତରଙ୍କୁ ବଡ଼ ଝଟ୍କା ଲାଗିଥିଲା। ପ୍ରି-ପ୍ରୋଡକ୍ସନ ବାବଦରେ ଫରହାନଙ୍କର ପ୍ରାୟ ୪୫ କୋଟି ଟଙ୍କାର ମୋଟା ଅଙ୍କର କ୍ଷତି ହୋଇଥିବା କୁହାଯାଉଛି।
ଏହି କ୍ଷତିପୂରଣ ପାଇଁ ଫରହାନ ଅଖତର ସିଧାସଳଖ ରଣବୀରଙ୍କୁ ଦାବି କରିଥିଲେ, ହେଲେ ରଣବୀର ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବିବାଦ ଏତିକିରେ ଥମିନଥିଲା, ଫରହାନ ଏହି ମାମଲାକୁ ନେଇ FWICE (ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍)ର ଦ୍ୱାରସ୍ଥ ହୋଇଥିଲେ। FWICE ପକ୍ଷରୁ ରଣବୀରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ନମିଳିବାରୁ ଅଭିନେତାଙ୍କ ବିରୋଧରେ ‘ଅସହଯୋଗ ନିର୍ଦ୍ଦେଶନାମା’ ଜାରି କରାଯାଇଥିଲା।
ଏହି ବିବାଦ ଉଗ୍ର ରୂପ ନେଉଥିଲା ବେଳେ ଏଣ୍ଟ୍ରି ହୋଇଛି ବଲିଉଡ୍ର ଭାଇଜାନ୍ ସଲମାନ ଖାନଙ୍କର। ସଲମାନ ଉଭୟ ରଣବୀର ଏବଂ ଅଖତର ପରିବାରର ଖୁବ୍ ନିକଟତର। ତେଣୁ ସେ ନିଜ ଆଡ଼ୁ ଆଗେଇ ଆସି ଦୁହିଁଙ୍କ ସହ ଫୋନ୍ରେ ଦୀର୍ଘ ସମୟ ଧରି କଥା ହୋଇଛନ୍ତି।
ସଲମାନ ଫରହାନଙ୍କୁ ବୁଝାଇଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ରିଏଟିଭ୍ ମତଭେଦ ହେବା ଏକ ସାଧାରଣ କଥା। ସେହିପରି ରଣବୀରଙ୍କ ସହ କଥା ହୋଇ ସେ ତାଙ୍କର ପକ୍ଷ ମଧ୍ୟ ବୁଝିଛନ୍ତି। ସଲମାନ ଦୁହିଁଙ୍କୁ କୌଣସି ତୃତୀୟ ପକ୍ଷ କିମ୍ବା କୋର୍ଟ-କଚେରୀ ମାମଲାରେ ନପଡ଼ି, ନିଜ ଭିତରେ ବସି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। କେବଳ ସେତିକି ନୁହେଁ, ସେ ଦୁହିଁଙ୍କୁ ପୁରା ବିଷୟକୁ ଭୁଲି ଭବିଷ୍ୟତରେ ଆଉ ଏକ ନୂଆ ପ୍ରୋଜେକ୍ଟ ପାଇଁ ଏକାଠି କାମ କରିବାକୁ ମଧ୍ୟ କହିଛନ୍ତି।
ତେବେ ସବୁଠାରୁ ଭଲ କଥା ହେଉଛି, ସଲମାନଙ୍କ ଏହି ପରାମର୍ଶକୁ ଉଭୟ ରଣବୀର ଏବଂ ଫରହାନ ସମ୍ମାନର ସହ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଦୁହେଁ ନିଜ ମଧ୍ୟରେ ଥିବା ତିକ୍ତତାକୁ ଦୂର କରି ଏକ ସନ୍ତୋଷଜନକ ରାସ୍ତା ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଆଶା କରାଯାଉଛି ଯେ ସଲମାନଙ୍କ ହସ୍ତକ୍ଷେପ ପରେ ବଲିଉଡ୍ର ଏହି ହାଇ-ପ୍ରୋଫାଇଲ୍ ବିବାଦ ଖୁବଶୀଘ୍ର ସମାପ୍ତ ହେବ।