ନୂଆଦିଲ୍ଲୀ: ନା ଚିରିବ, ନା ଭିଜିବ…ନା ନଷ୍ଟ ହେବାର ଟେନସନ୍
କାଗଜ ନୋଟର ଚିନ୍ତା ଗଲା
ଏଣିକି ପକେଟରେ ରହିବ ପ୍ଲାଷ୍ଟିକ୍ ନୋଟ୍…
ଏବେ ଆମର ଏବଂ ଆପଣଙ୍କ ପକେଟରେ ଥିବା କାଗଜ ନୋଟ୍ ଖୁବ୍ ଶୀଘ୍ର ଇତିହାସ ହୋଇଯାଇପାରେ। କାରଣ ଏବେ ପ୍ଲାଷ୍ଟିକ୍ ନୋଟ୍ ଛାପିବ RBI! ନଗଦର ଦ୍ରୁତ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। କେନ୍ଦ୍ରୀୟ ବ୍ୟାଙ୍କ ଏବେ ପାରମ୍ପରିକ କାଗଜ ବଦଳରେ ପ୍ଲାଷ୍ଟିକ୍ (ପଲିମର) ନୋଟ୍ ମୁଦ୍ରଣ କରିବା ଉପରେ ଗମ୍ଭୀରତାର ସହ ବିଚାର କରୁଛି। ପାଟନା ଏବଂ ମୁମ୍ବାଇରେ ହୋଇଥିବା ସାମ୍ପ୍ରତିକ RBI ବୋର୍ଡ ବୈଠକରେ ଏହି ପରିବର୍ତ୍ତନ ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା ବୋଲି କୁହାଯାଉଛି । ଯାହା ପରେ ଏବେ କାଗଜ ଟଙ୍କାର ସ୍ଥାନ ନେବ ପ୍ଲାଷ୍ଟିକ୍ ଟଙ୍କା । ଏଣିକି ବର୍ଷା ହେଉ କି ଖରା ଶୀତ ପକେଟରେ ଟଙ୍କା ରହିବ ପୂରା ନୂଆ ଚକାଚକ୍ ।
କିନ୍ତୁ ଏପରି କରିବାରେ ଭାରତ ପ୍ରଥମ ନୁହେଁ । କାରଣ ପୂର୍ବରୁ ବିଶ୍ବର ଅନେକ ଦେଶରେ ପ୍ଲାଷ୍ଟିକ୍ ନୋଟ ପୂର୍ବରୁ ପ୍ରଚଳିତ ହୋଇଆସୁଛି । ତେବେ ପ୍ଲାଷ୍ଟିକ୍ ନୋଟ୍ ବାହାର କରିବା ପଛରେ ମୁଖ୍ୟ କାରଣ ହେଉଛି ମୂଲ୍ୟ ଏବଂ ସ୍ଥାୟୀତ୍ୱ। ବ୍ୟାଙ୍କିଂ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପ୍ଲାଷ୍ଟିକ୍ ନୋଟ୍ ସାଧାରଣ କାଗଜ ନୋଟ୍ ତୁଳନାରେ ପ୍ରାୟ ଅଢ଼େଇ ଗୁଣ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଏଗୁଡ଼ିକ ପାଣି, ଆର୍ଦ୍ରତା ଏବଂ ମଇଳା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୁଅନ୍ତି ନାହିଁ। ଏହି ନୋଟ୍ଗୁଡ଼ିକ କାଗଜ ନୋଟ୍ ପରି ସହଜରେ ଛିଣ୍ଡିବ କି ଚିରିବ ନାହିଁ, ଯାହା ସେଗୁଡ଼ିକୁ ପୁନଃମୁଦ୍ରଣ କରିବାର ଖର୍ଚ୍ଚ ବଞ୍ଚାଏ। ଏହା ବ୍ୟତୀତ, ପ୍ଲାଷ୍ଟିକ୍ ନୋଟ୍ ର ସବୁଠାରୁ ବଡ଼ ସୁବିଧା ହେଉଛି ଏଗୁଡ଼ିକୁ ନକଲି କିମ୍ବା କପି କରିବା ପ୍ରାୟ ଅସମ୍ଭବ। ଏହି ସୁବିଧାଗୁଡ଼ିକୁ ଦୃଷ୍ଟିରେ ରଖି, ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ରୁତ ଗତିରେ ଏହି ବିକଳ୍ପକୁ ସ୍ଥାନାନ୍ତରିତ ହେଉଛନ୍ତି।
ବର୍ତ୍ତମାନ ଦେଖିବାକୁ ଗଲେ, ବିଶ୍ୱର ପ୍ରାୟ ୬୦ ଟି ଦେଶ ପ୍ଲାଷ୍ଟିକ୍ ନୋଟ୍ ବ୍ୟବହାର କରନ୍ତି, କିନ୍ତୁ କିଛି ପ୍ରମୁଖ ଦେଶ ସେମାନଙ୍କ ସିଷ୍ଟମରୁ କାଗଜ ନୋଟ୍ ସମ୍ପୂର୍ଣ୍ଣ ପୋଛି ଦେଇଛନ୍ତି । ସେଗୁଡିକ ମଧ୍ୟରେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ବ୍ରୁନେ, ଭିଏତନାମ, ରୋମାନିଆ, ପାପୁଆ ନ୍ୟୁ ଗିନି ଭଳି ଦେଶ ରହିଛନ୍ତି । ଆଉ ଅଷ୍ଟ୍ରେଲିଆ ହେଉଛି, ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବାରେ ବିଶ୍ୱର ପ୍ରଥମ ଦେଶ। ୧୯୮୮ ମସିହାରେ ଏଠାରେ ପଲିମର ନୋଟ୍ ପ୍ରଚଳନ ହୋଇଥିଲା। ଏହା ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଏହି ନୋଟ୍ ଉତ୍ପାଦନ ହୁଏ। ଆଉ ଏବେ ଏହି ପ୍ରଯୁକ୍ତିବିଦ୍ୟାକୁ ଆପଣାଇବାକୁ ଯାଉଛି ଭାରତ ।
ପଲିମର ନୋଟ୍ ବ୍ୟବହାର ବିଶ୍ୱ ସ୍ତରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୧୯୮୮ ମସିହାରେ ଅଷ୍ଟ୍ରେଲିଆର ୧୦ ଡଲାର ନୋଟ୍ ସହିତ ଯାହା ଆରମ୍ଭ ହୋଇଥିଲା ତାହା ଏବେ ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲ୍ୟାଣ୍ଡରେ ପହଞ୍ଚିଛି। ୟୁରୋପରେ, ରୋମାନିଆ ୧୯୯୮ ମସିହାରେ ଏହାକୁ ପ୍ରଚଳନ କରିଥିଲା, ଏବଂ କାନାଡା ଏହାକୁ ୨୦୧୧ ମସିହାରେ ଗ୍ରହଣ କରିଥିଲା। ତେବେ କହିରଖୁଛୁ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମୁଦ୍ରା, ଆମେରିକୀୟ ଡଲାର, ସମ୍ପୂର୍ଣ୍ଣ ଭାବରେ ପ୍ଲାଷ୍ଟିକରେ ତିଆରି ନୁହେଁ। ଆମେରିକୀୟ ମୁଦ୍ରା କପା ଏବଂ ସୂତା କପଡ଼ାର ଏକ ସ୍ୱତନ୍ତ୍ର ମିଶ୍ରଣରୁ ତିଆରି ହୋଇଥାଏ ।