Latest Odisha News

BREAKING NEWS

ଜୁନ ୪କୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି: କହିଲା ଏହା ଶୋଷଣ, କଷଣ, ଧର୍ଷଣ ଓ ଭାଷଣର ସରକାର

ଭୁବନେଶ୍ୱର: ଜୁନ ୪ ତାରିଖ ଅର୍ଥାତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଠିକ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜୁ ଜନତା ଦଳ (ବିଜେଡି)। ଏହି ସରକାରକୁ ସମ୍ପୂର୍ଣ୍ଣ ଅପାରଗ ଦର୍ଶାଇ ବିଜେଡି ବିଧାୟକ ଅରୁଣ ସାହୁ ଏହାକୁ କେବଳ ଶୋଷଣ କଷଣ ଧର୍ଷଣ ଓ ଭାଷଣର ସରକାର ବୋଲି ଆକ୍ଷେପ କରିଛନ୍ତି।

 

ନୟାଗଡ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଦୁଇ ବର୍ଷ ତଳେ ଆଜିର ଦିନରେ ନିର୍ବାଚନ ଫଳାଫଳ ଖୋଦ ବିଜେପି ପାଇଁ ମଧ୍ୟ ଅପ୍ରତ୍ୟାଶିତ ଥିଲା। ଏଭଳି ଏକ ଅପାରଗ ସରକାର ବାଛିଥିବାରୁ ରାଜ୍ୟବାସୀ ଏବେ ପସ୍ତେଇ ହେଉଛନ୍ତି। ସରକାର ନିଜର ରିପୋର୍ଟ କାର୍ଡ ଦେବା ପୂର୍ବରୁ ସାଧାରଣ ଲୋକେ ତାଙ୍କର ରିପୋର୍ଟ କାର୍ଡ ପ୍ରସ୍ତୁତ କରିସାରିଲେଣି। ଏହି ସରକାର କେତେ ଦୁର୍ବଳ ତାହା ଲୋକେ ବେଶ ଭଲ ଭାବେ ବୁଝିଗଲେଣି।

 

ଶାସକ ଦଳର ବିକାଶର ଦାବିକୁ କାଉଣ୍ଟର କରି ସେ କହିଛନ୍ତି ଯେ ରାଜ୍ୟରେ ଏବେ ପ୍ରଗତି ବଦଳରେ ଅଧୋଗତି ଦେଖିବାକୁ ମିଳୁଛି। ବିକାଶ ଏବେ ବିନାଶରେ ପରିଣତ ହୋଇଛି ଏବଂ ସରକାରଙ୍କ ସବୁ ପ୍ରୟାସ ଅପପ୍ରୟାସରେ ବଦଳି ଯାଇଛି। ଡବଲ ଇଞ୍ଜିନ ସରକାର ନାଁରେ ରାଜ୍ୟରେ ଏବେ ଡବଲ ଶୋଷଣ ଓ କଷଣ ଚାଲିଛି ଏବଂ ମନ୍ତ୍ରୀମାନେ କେବଳ ଭାଷଣ ଦେବାରେ ବ୍ୟସ୍ତ ଅଛନ୍ତି।

 

ଏହା ସହିତ ସରକାର ଏବେ ବିରୋଧୀ ଦଳଙ୍କ ସ୍ୱର ଚାପି ଦେବାକୁ ପ୍ରୟାସ କରୁଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ସବୁବେଳେ ୨୪ ବର୍ଷର ହିସାବ ମାଗୁଥିବା ବିଜେପି ନେତାମାନେ କ୍ଷମତାକୁ ଆସିବା ପରେ ଏବେ ସେଥିରେ ବ୍ରେକ ଲଗାଇଛନ୍ତି। ଦୁଇ ବର୍ଷ ପୂରିବା ବେଳକୁ ଏହି ହିସାବ ୨୪ ବର୍ଷରୁ ଖସି ୧୫ ବର୍ଷରେ ପହଞ୍ଚିଲାଣି ବୋଲି ଅରୁଣ ସାହୁ କଟାକ୍ଷ କରିଛନ୍ତି।

Leave A Reply

Your email address will not be published.