ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ରେ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ଇତିହାସ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ, BCCI ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଛି। ଆଉ ଏହି ଦଳରେ ସ୍ଥାନ ପାଇଛନ୍ତି ମାତ୍ର ୧୫ ବର୍ଷର ବିସ୍ଫୋରକ ଓପନର ବୈଭବ ସୂର୍ଯ୍ୟବଂଶୀ। ବିଗତ ଦୁଇ ବର୍ଷ ଧରି ଘରୋଇ କ୍ରିକେଟ୍ ଏବଂ ଚଳିତ ଆଇପିଏଲ୍-୨୦୨୬ରେ ନିଜ ବ୍ୟାଟିଂରେ ଧମାଲ୍ ମଚାଇଥିବା ବୈଭବଙ୍କୁ ଶେଷରେ ଟିମ୍ ଇଣ୍ଡିଆର ଟିକେଟ୍ ମିଳିଛି। କେବଳ ସେତିକି ନୁହେଁ, ଏସିଆନ୍ ଗେମ୍ସ ଦଳରେ ମଧ୍ୟ ତାଙ୍କୁ ସାମିଲ କରାଯାଇଛି। ଯଦି ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳେ, ତେବେ ସେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ୩୭ ବର୍ଷର ପୁରୁଣା ମହାରେକର୍ଡକୁ ଭାଙ୍ଗିବେ।
ମାତ୍ର ୧୫ ବର୍ଷ ବୟସ, ହେଲେ ବଡ଼ ବଡ଼ ବୋଲରଙ୍କ ଛାତି ଥରାଇ ଦେବା ଭଳି ବ୍ୟାଟିଂ ଶୈଳୀ। ସେ ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଚଳିତ ଆଇପିଏଲ୍ ୨୦୨୬ ସିଜନ୍ରେ ବୈଭବ ଯେଉଁଭଳି ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି, ତାହା ସେମିତି ବି ଚୟନକର୍ତ୍ତାଙ୍କୁ ଆକର୍ଷିତ କରିଥିଲା। ଏହି ସିଜନ୍ରେ ସେ ୧୪ଟି ମ୍ୟାଚ୍ ଖେଳି ୨୩୭.୩୧ର ବିସ୍ଫୋରକ ଷ୍ଟ୍ରାଇକ୍ ରେଟ୍ରେ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ସାମିଲ ରହିଛି ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ। ଚଳିତ ସିଜନ୍ରେ ସବୁଠାରୁ ଅଧିକ ରନ୍ କରି ସେ ‘ଅରେଞ୍ଜ କ୍ୟାପ୍’ ମଧ୍ୟ ନିଜ ନାମରେ କରିଛନ୍ତି। ଯଶପ୍ରୀତ ବୁମରା, ଜୋସ୍ ହେଜଲଉଡ୍ କିମ୍ବା ପ୍ୟାଟ୍ କମିନ୍ସ— ଦୁନିଆର କୌଣସି ବି ଶ୍ରେଷ୍ଠ ବୋଲର ବୈଭବଙ୍କ ପ୍ରହାରରୁ ବର୍ତ୍ତି ପାରିନାହାନ୍ତି।
ଚଳିତ ଗସ୍ତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଦଳର ଅଧିନାୟକ କରାଯାଇଛି। ବର୍ତ୍ତମାନ ଦଳରେ ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ଭଳି ଷ୍ଟାର୍ ଓପନର ଥିବାବେଳେ, ଅଧିନାୟକ ଆୟର, ବୈଭବଙ୍କୁ କେବେ ସୁଯୋଗ ଦେଉଛନ୍ତି ତାହା ଦେଖିବାକୁ କ୍ରିକେଟ୍ ପ୍ରେମୀଙ୍କ ଅପେକ୍ଷା । କିନ୍ତୁ ଯଦି ଏହି ଗସ୍ତରେ ବୈଭବ ମୈଦାନକୁ ଓହ୍ଲାନ୍ତି, ତେବେ ସେ ଭାରତ ପାଇଁ ସବୁଠାରୁ କମ୍ ବୟସରେ ଆନ୍ତର୍ଜାତୀୟ ଡେବ୍ୟୁ କରିବାର ରେକର୍ଡ ନିଜ ନାମରେ କରିବେ। ଏହାପୂର୍ବରୁ ସଚିନ ତେନ୍ଦୁଲକର ୧୬ ବର୍ଷ ୨୦୫ ଦିନ ବୟସରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରି ରେକର୍ଡ କରିଥିଲେ। ମାତ୍ର ୧୫ ବର୍ଷ ବୟସ୍କ ବୈଭବ ଏବେ ଏହି ସର୍ବକାଳୀନ ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିବାକୁ ଯାଉଛନ୍ତି।