କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରାଜୟ ପରେ ତୃଣମୂଳ କଂଗ୍ରେସ ବା ଟିଏମସି ନେତାଙ୍କ ପ୍ରତି ଲୋକଙ୍କ ଆକ୍ରୋଶ ଥମିବାର ନାଁ ନେଉନାହିଁ। ନିକଟରେ କାମାରହାଟିର ବରିଷ୍ଠ ଟିଏମସି ବିଧାୟକ ମଦନ ମିତ୍ରଙ୍କ ଗାଡ଼ି ଉପରକୁ ବିକ୍ଷୋଭକାରୀମାନେ ଅଣ୍ଡାମାଡ଼ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ କଟ୍ ମନି ବା ବେଆଇନ କମିଶନ ଫେରାଇବା ଦାବିରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ ଉତ୍ତର ୨୪ ପ୍ରଗଣା ଜିଲ୍ଲାର କାମାରହାଟି ପୌରପାଳିକା ଅନ୍ତର୍ଗତ ୧୪ ନମ୍ବର ୱାର୍ଡରେ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ସ୍ଥାନୀୟ ଟିଏମସି କାଉନସିଲରଙ୍କ ଘର ଆଗରେ ଅଟୋ ଏବଂ ଇ ରିକ୍ସା ଚାଳକମାନେ ଏକାଠି ହୋଇ ବର୍ଷ ବର୍ଷ ଧରି ନେତାମାନେ ନେଇଥିବା କଟ୍ ମନି ଫେରାଇବାକୁ ଦାବି କରିଥିଲେ। ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେବା ପରେ ଲୋକେ ନିଜେ ଦେଇଥିବା ଚାନ୍ଦା ଟଙ୍କା ଫେରାଇବାକୁ ଜିଦ୍ ଧରିଥିଲେ।
ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବିଧାୟକ ମଦନ ମିତ୍ର ସେଠାରେ ପହଞ୍ଚିବା ମାତ୍ରେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଗାଡ଼ିକୁ ଘେରିଯାଇଥିଲେ। ବିକ୍ଷୋଭକାରୀମାନେ ଗାଡ଼ି ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ବାହାରକୁ ଟାଣି ଆଣି ମାଡ଼ ମାରିଥିଲେ। ତେବେ ଆକ୍ରମଣ ସମୟରେ ବିଧାୟକ ଗାଡ଼ିରେ ନଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅନ୍ଧାର ଘରେ ଲୁଚି ନିଜ ଜୀବନ ବଞ୍ଚାଇଥିଲେ ବୋଲି ସେ ଦାବି କରିଛନ୍ତି। ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏଭଳି ଆକ୍ରମଣ କରାଯାଇଥିଲା ଏବଂ ଏହା ପଛରେ ବିଜେପି ସମର୍ଥିତ ଅସାମାଜିକ ତତ୍ତ୍ୱଙ୍କର ହାତ ରହିଛି ବୋଲି ସେ ଅଭିଯୋଗ ଆଣିଛନ୍ତି।
ଟିଏମସି ନେତାମାନେ ଏବେ ଲଗାତାର ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏହା ପୂର୍ବରୁ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ସୋନାରପୁରଠାରେ ଅନୁରୂପ ଅଣ୍ଡାମାଡ଼ର ସମ୍ମୁଖୀନ ହୋଇଥିଲେ। ନେତାଙ୍କ ଦୁର୍ନୀତି ଏବଂ ବଟି ଆଦାୟ ବିରୋଧରେ ଲୋକଙ୍କ ଏହି ଅସନ୍ତୋଷ ଏବେ ରାସ୍ତାରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।