ଗଞ୍ଜାମ: ଦିଗପହଣ୍ଡି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ସହାୟତା। ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ଦୁର୍ଘଟଣାରେ କାଲି ଜଣେ ଓ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ମହେନ୍ଦ୍ରଗିରି ମେଳା ଦେଖି ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ମହେନ୍ଦ୍ରଗିରି ମେଳା ଦେଖି ଫେରୁଥିବା ବେଳେ ଦିଗପହଣ୍ଡି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଗତକାଲି ଜଣେ ଏବଂ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା।
ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ରାଜ୍ୟ ସରକାର। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି। ସେହିପରି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।