ପୁରୀ: ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ସେବାୟତଙ୍କ ମଙ୍ଗଳବାର ଦିନ ହୃଦଘାତରେ ମୃତ୍ୟୁ ଘଟିଛି।
ମୃତକଙ୍କ ନାମ ଭୋଇ ସେବକ ଧୋବା ଭୋଇ। ଯିଏକି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ନିର୍ମାଣରେ ନିୟୋଜିତ ଥିଲେ।
ସୂଚନା ଅନୁଯାୟୀ, ସେ ସକାଳେ ପ୍ରବଳ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ତାଙ୍କୁ ପ୍ରଥମେ ପୁରୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନା (DHH)କୁ ନିଆଯାଇଥିଲା ଏବଂ ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ଖବର ପାଇବା ପରେ ପୁରୀ ଜିଲ୍ଲାପାଳ ରଥ ଖଳା ପରିଦର୍ଶନ କରି ପରିସ୍ଥିତି ସମୀକ୍ଷା କରିଥିଲେ ଏବଂ ସେବାୟତଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଥିଲେ। ଏଥିସହିତ ତାଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।