ନୂଆଦିଲ୍ଲୀ: ପ୍ରକୋପ ଦେଖାଉଛି ମୌସୁମୀ। ସାରା ଦେଶରେ ଏବେ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି, ଯାହାଫଳରେ ଅଧାରୁ ଅଧିକ ଭାରତରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି। ଭାରତୀୟ ପାଣିପାଗ ବିଭାଗ, IMD ପକ୍ଷରୁ ଦେଶର ୧୭ଟି ରାଜ୍ୟ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ଝଡ଼ତୋଫାନ ହେବାର ଆଶଙ୍କା ରହିଛି।
କେଉଁ କେଉଁ ରାଜ୍ୟରେ ଆଲର୍ଟ ?
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶା ସମେତ ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ଆସାମ, ମେଘାଳୟ, ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷାର ବିଭୀଷିକା ଦେଖିବାକୁ ମିଳିପାରେ। ବିଶେଷ କରି ତେଲେଙ୍ଗାନାର ହାଇଦ୍ରାବାଦ ପାଣିପାଗ କେନ୍ଦ୍ର ଆଗାମୀ ୪୮ ଘଣ୍ଟା ପାଇଁ ସ୍ପେଶାଲ୍ ଆଲର୍ଟ ଜାରି କରିଛି। ଏଠାରେ ପବନର ବେଗ ଅଧିକ ରହିବା ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି।
ଅନ୍ୟପଟେ ଦକ୍ଷିଣ ଭାରତର ଦୁଇ ପ୍ରମୁଖ ରାଜ୍ୟ କେରଳ ଏବଂ ଉପକୂଳ କର୍ଣ୍ଣାଟକରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏହି ଦୁଇ ରାଜ୍ୟ ପାଇଁ ଆଇଏମଡି ପକ୍ଷରୁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି।
କେରଳ ଏବଂ କର୍ଣ୍ଣାଟକର କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚା ଲହଡ଼ି ସହ ଜୋରରେ ପବନ ବହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅନେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି।
ଏସବୁ ଭିତରେ ଉତ୍ତର ଭାରତବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଦୀର୍ଘ ଦିନର ପ୍ରବଳ ଗରମ ଏବଂ ଗୁଳୁଗୁଳି ପରେ ଏବେ ପାଗ ବଦଳିଛି।
ରାଜଧାନୀ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିଆଣା, ପଞ୍ଜାବ ଏବଂ ରାଜସ୍ଥାନର କେତେକ ଅଞ୍ଚଳରେ କାଳବୈଶାଖୀ ଝଡ଼ ସହ ବର୍ଷା ଆରମ୍ଭ ହୋଇଯାଇଛି। ଧୂଳିଝଡ଼ ସହ ବର୍ଷା ଯୋଗୁଁ ତାପମାତ୍ରା ତଳକୁ ଖସିଛି ଏବଂ ଲୋକେ ତାତିରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି।
ଆଗାମୀ ଦିନରେ ମୌସୁମୀ ଆହୁରି ଆଗକୁ ବଢ଼ିବ ଏବଂ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।