Latest Odisha News

BREAKING NEWS

ବଡ଼ ପରଦାକୁ ଫେରୁଛି ‘ତନୁ ୱେଡ୍ସ ମନୁ ୩’: ଚଳିତ ବର୍ଷ ଆରମ୍ଭ ହେବ କଙ୍ଗନା ଓ ମାଧବନଙ୍କ ଫିଲ୍ମର ସୁଟିଂ

ମୁମ୍ବାଇ: ବଲିଉଡ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସିନେମା ଜଗତର ବହୁ ପ୍ରତିକ୍ଷିତ ଏବଂ ଅତି ସୁପରହିଟ୍ ସିରିଜ ‘ତନୁ ୱେଡ୍ସ ମନୁ’ର ପାର୍ଟ ଥ୍ରୀ ବା ତୃତୀୟ ଭାଗ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ଚଳିତ ବର୍ଷ ହିଁ ଏହି ଚଳଚ୍ଚିତ୍ରର ସୁଟିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ ପୁଣି ଥରେ ଏହି ପାରିବାରିକ ତଥା ରୋମାଣ୍ଟିକ କମେଡି ଡ୍ରାମାକୁ ପରଦାକୁ ଆଣିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି।

 

ଏହି ଚଳଚ୍ଚିତ୍ରରେ ବଲିଉଡର କୁଇନ୍ କଙ୍ଗନା ରାଣାଓ୍ୱତ ଏବଂ ଅଭିନେତା ଆର ମାଧବନଙ୍କ ଚମତ୍କାର ଯୋଡ଼ି ପୁଣି ଥରେ ଏକାଠି ନଜର ଆସିବେ। ପୂର୍ବ ଦୁଇଟି ଯାକ ପାର୍ଟରେ ଉଭୟଙ୍କ ସୁନ୍ଦର କେମିଷ୍ଟ୍ରି, ଚୁଲବୁଲି ଅନ୍ଦାଜ ଓ ଦେଶୀ ସଂଳାପକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏହି ତୃତୀୟ ଭାଗରେ ମଧ୍ୟ ସେମାନଙ୍କର ସେହି ପୁରୁଣା ମଜାଦାର ଟକ୍କର ଏବଂ ନୋକଝୋକ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

 

ସୂଚନା ଅନୁସାରେ ଫିଲ୍ମର କାହାଣୀ ଲେଖା କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତ ୨୦୧୧ ମସିହାରେ ଏହି ସିରିଜର ପ୍ରଥମ ଚଳଚ୍ଚିତ୍ର ଏବଂ ୨୦୧୫ ମସିହାରେ ‘ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’ ରିଲିଜ ହୋଇଥିଲା । ଯାହାକି ବକ୍ସ ଅଫିସରେ ହିଟ୍ ହୋଇଥିଲା। ଦୀର୍ଘ ୧୧ ବର୍ଷର ବ୍ୟବଧାନ ପରେ ଫିଲ୍ମ ନିର୍ମାତା ଏହାର ପରବର୍ତ୍ତୀ ସିରିଜ୍ ନେଇ ଆସୁଥିବାରୁ ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।

 

ଏଥର ଚଳଚ୍ଚିତ୍ରର କାହାଣୀ ପୂର୍ବ ଭାଗ ଅପେକ୍ଷା ଅଧିକ ମନୋରଞ୍ଜନଧର୍ମୀ ଏବଂ ଭିନ୍ନ ସ୍ୱାଦର ହେବ ବୋଲି ଦାବି କରାଯାଉଛି। କଙ୍ଗନା ଏହି ଚଳଚ୍ଚିତ୍ରରେ କିଛି ନୂଆ ଟ୍ୱିଷ୍ଟ ସହ ଏକ ସ୍ୱତନ୍ତ୍ର ଅବତାରରେ ନଜର ଆସିପାରନ୍ତି। ଖୁବ୍ ଶୀଘ୍ର ଫିଲ୍ମର ଅନ୍ୟ ସହ କଳାକାର ଏବଂ ସୁଟିଂର ନିର୍ଦ୍ଦିଷ୍ଟ ତାରିଖ ବିଷୟରେ ନିର୍ମାତାଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

Leave A Reply

Your email address will not be published.