Assam plane crash: ୮ ଦିନ ପୂର୍ବରୁ ଯାଇଥିଲେ ଝିଅ ଦେଖି, ଘରେ ଚାଲିଥିଲା ବିବାହ ପ୍ରସ୍ତୁତି…ଖବର ଆସିଲା ପୁଅ ସହିଦ୍…
ଆଲିଗଡ: ଆସାମ ଜୋରହାଟ ବିମାନ ଦୁର୍ଘଟଣାରେ ସହିଦ୍ ହୋଇଛନ୍ତି ୫ ବୀର ପୁଅ । ସେମାନଙ୍କ ମଧ୍ୟରେ ଥିଲେ ଆଲିଗଡର ପୁଅ ଜିତେନ୍ଦ୍ର ଶର୍ମା । ଘରେ ଖୁସିର ମୂହୁର୍ତ୍ତ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମିଳିଲା ଦୁଃଖଦ ଖବର । ପୂର୍ବରୁ ହାତ ଛାଡିଦେଇଛନ୍ତି ଘରର ମୁଖିଆ । ମାତ୍ର ୩୧ ବର୍ଷ ବୟସରେ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗି ପଡିଛି ପରିବାର ।
ଆସାମର ଜୋରହାଟରେ ସମ୍ପ୍ରତି ପୋଷ୍ଟିଂ ହୋଇଥିବା ଭାରତୀୟ ବାୟୁସେନାର ସାର୍ଜେଣ୍ଟ ଜିତେନ୍ଦ୍ର ଶର୍ମା (୩୧) ଶନିବାର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ପରିବାର ତାଙ୍କ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ। ସେ ଗତ ଜୁନ୍ ୫ ତାରିଖରେ ତାଙ୍କ ପରିବାର ସହିତ କନ୍ୟା ଦେଖିବାକୁ ଯାଇଥିଲେ। ଉଭୟ ପରିବାରଙ୍କ ସମ୍ମତିରେ ପ୍ରସ୍ତାବ ପ୍ରାୟ ଶେଷ ହୋଇଥିଲା । ଘରେ ବିବହାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ହେଲେ ଭାଗ୍ୟ ଲିଖନୀ କିଛି ଅଲଗା ହିଁ ଥିଲା । ତାଙ୍କ ସହିଦ ହେବାର ଖବର ପରିବାର ଏବଂ ସମଗ୍ର ଅଞ୍ଚଳକୁ ଏବେ ଭାଙ୍ଗିଦେଇଛି ।
ସକାଳ ପ୍ରାୟ ୧୦ଟା ସମୟରେ ଅବତରଣ ସମୟରେ ଭାରତୀୟ ବାୟୁସେନାର ଏକ AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜିତେନ୍ଦ୍ର ଶର୍ମାଙ୍କ ସମେତ ପାଞ୍ଚ ଜଣ ସୈନିକ ପ୍ରାଣ ହରାଇଛନ୍ତି।
ଜିତେନ୍ଦ୍ର ଶର୍ମା ୨୦୧୪ ମସିହାରେ ବାୟୁସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ପ୍ରତିଜ୍ଞା କରିଥିଲେ। ଜିତେନ୍ଦ୍ର ଶର୍ମା ଆଲିଗଡ଼ର ସାଲପୁର ଗ୍ରାମର ବାସିନ୍ଦା ଥିଲେ ଏବଂ ପ୍ରାୟ ୧୨ ବର୍ଷ ପୂର୍ବେ ତାଙ୍କ ପିତାଙ୍କୁ ହରାଇଥିଲେ। ତାଙ୍କ ମାଆ ଏବଂ ଦୁଇ ବଡ଼ ଭାଇ, ରମାକାନ୍ତ ଏବଂ ଭୂପେନ୍ଦ୍ର ଅଛନ୍ତି, ଯେଉଁମାନେ ସବୁବେଳେ ଜିତେନ୍ଦ୍ରଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଥିଲେ।