ସମ୍ବଲପୁର: ଓଡ଼ିଶା ଭିଜିଲାନ୍ସ ବିଭାଗ ସମ୍ବଲପୁର ଡିଭିଜନର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (CADA)ର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ସମ୍ପତ୍ତି ଉପରେ ମଙ୍ଗଳବାର ଦିନ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି।
ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗ ପରେ ଦୁର୍ନୀତି ନିବାରଣ ସଂସ୍ଥା ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ସମ୍ବଲପୁରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ କୋର୍ଟ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରିର ସାତଟି ସ୍ଥାନରେ ଚାରି ଜଣ ଡିଏସ୍ପି, ୧୩ ଜଣ ଇନ୍ସପେକ୍ଟର, ସାତ ଜଣ ଏଏସ୍ଆଇ ଏବଂ ଅତିରିକ୍ତ ସହାୟକ କର୍ମଚାରୀଙ୍କ ଦ୍ୱାରା ଏହି ଚଢ଼ାଉ କରାଯାଉଛି।
ସମ୍ବଲପୁରରେ ଦଳଗୁଡ଼ିକ ତାଙ୍କ ଭଡା ଘର ସହିତ ଧନୁପାଲି ଅଞ୍ଚଳରେ ଥିବା ତାଙ୍କ ସରକାରୀ ଚାମ୍ବରରେ ତଲାସି କରୁଛନ୍ତି।ଏହି ଚଢାଉ ତାଙ୍କ ଜନ୍ମସ୍ଥାନ ଏବଂ ଅନ୍ୟ ଜିଲ୍ଲାଗୁଡ଼ିକର ସମ୍ପତ୍ତିରେ ମଧ୍ୟ କରାଯାଉଛି। ଏଥିରେ କଟକର ବିଦ୍ୟାଧରପୁରରେ ତାଙ୍କ ମାଲିକାନାରେ ଥିବା ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠା ଏବଂ ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଅଧୀନରେ ଥିବା ମୁଖାଲିସରେ ଏକ ଦୁଇ ମହଲା ବିଶିଷ୍ଟ ଆବାସିକ ଘର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ କଟକରେ ତାଙ୍କ ସହଯୋଗୀଙ୍କ ଦୁଇଟି ପୃଥକ ଆବାସିକ ସ୍ଥାନରେ ଏବଂ ମାଲକାନଗିରିର କାଲିମେଳାରେ ଅନ୍ୟ ଜଣେ ସହଯୋଗୀଙ୍କ ସମ୍ପତ୍ତିରେ ତଲାସ ଚଳାଇଛି।
ତେବେ ସମ୍ପୂର୍ଣ୍ଣ ରେଡ୍ ସରିବା ପରେ ଯାଇ ମୋଟ୍ ସମ୍ପତି ସମ୍ପର୍କରେ ଜଣାପଡ଼ିବ।
