ହୋଟେଲର ଅଇଁଠା ପତ୍ର ତଳେ ଲୁଚିଥିଲା ଆଇପିଏସ୍ ହେବାର ସ୍ୱପ୍ନ: ଜୁଆଙ୍ଗ ପୁଅର ଭାଗ୍ୟ ବଦଳାଇଲା ପ୍ରଶାସନର ଗୋଟିଏ ନିଷ୍ପତ୍ତି!
କେନ୍ଦୁଝର: ଆଖିରେ ଖାକି ପୋଷାକ ପିନ୍ଧିବାର ଏକ ବିରାଟ ସ୍ୱପ୍ନ, ହେଲେ ହାତରେ ଅଇଁଠା ବାସନ ମାଜିବାର କଠୋର ବାଧ୍ୟବାଧକତା। ଏମିତି ଏକ ହୃଦୟବିଦାରକ ସଂଘର୍ଷର କାହାଣୀ ସାମ୍ନାକୁ ଆସିବା ପରେ ଶେଷରେ ଜଣେ ପ୍ରତିଭାବାନ ଆଦିବାସୀ ଯୁବକଙ୍କ ଅନ୍ଧକାରମୟ ଭବିଷ୍ୟତରେ ଆଶାର ଆଲୋକ ଦେଖାଦେଇଛି। ଯେଉଁ ପାଠ ପଢ଼ିବା ପାଇଁ ଦିନେ ହୋଟେଲ୍ ଟେବୁଲ୍ ସଫା କରିବାକୁ ପଡ଼ୁଥିଲା, ସେହି ଉଚ୍ଚଶିକ୍ଷାର ସ୍ୱପ୍ନ ଏବେ ସରକାରୀ ସହାୟତାରେ ଡେଣା ମେଲିବାକୁ ଯାଉଛି। କେନ୍ଦୁଝର ଜିଲ୍ଲାର ଅତି ପଛୁଆ ଜୁଆଙ୍ଗ ସମ୍ପ୍ରଦାୟର ମେଧାବୀ ଛାତ୍ର ବୈଲୋଚନ ଜୁଆଙ୍ଗଙ୍କ ଦାୟିତ୍ୱ ଏବେ ରାଜ୍ୟ ପ୍ରଶାସନ ହାତକୁ ନେଇଛି।
କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ୍ ବରାହଗଡ଼ ପଞ୍ଚାୟତର ନଡ଼ାମ ଗ୍ରାମର କୀର୍ତ୍ତନ ଜୁଆଙ୍ଗ ଓ ଗୋଲାପ ଜୁଆଙ୍ଗଙ୍କ ବଡ଼ ପୁଅ ହେଉଛନ୍ତି ବୈଲୋଚନ। ଚଳିତ ବର୍ଷ ଯୁକ୍ତ ଦୁଇ ଆର୍ଟସ ପରୀକ୍ଷାରେ ସେ ୮୩ ପ୍ରତିଶତ ନମ୍ବର ରଖି ସମସ୍ତଙ୍କୁ ଚକିତ କରିଦେଇଥିଲେ। ମାତ୍ର ଦାରିଦ୍ର୍ୟର କରାଳ ରୂପ ଏମିତି ଥିଲା ଯେ ଭୁବନେଶ୍ୱରର ପ୍ରତିଷ୍ଠିତ ବିଜେବି କଲେଜ୍ ଭଳି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ତ ଦୂରର କଥା, ଆଡମିସନ ଫର୍ମ ପୂରଣ କରିବାକୁ ମଧ୍ୟ ତାଙ୍କ ପାଖରେ ସମ୍ବଳ ନଥିଲା। ଘରର ଆର୍ଥିକ ଅବସ୍ଥା ସୁଧାରିବା ଓ ନିଜ ପାଠପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ସେ ଗତ ମାର୍ଚ୍ଚ ମାସରୁ ଝୁମ୍ପୁରା ଅଞ୍ଚଳର ଏକ ହୋଟେଲରେ ମାସିକ ମାତ୍ର ୯,୦୦୦ ଟଙ୍କା ଦରମାରେ ବାସନ ମାଜିବା ଓ ରୋଷେଇ କାମରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ।
ବୈଲୋଚନଙ୍କ ଏହି ସଂଘର୍ଷ ପଛରେ ଶୁଆକାଟି ସ୍ଥିତ ପାଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁଙ୍କର ଏକ ବଡ଼ ଅବଦାନ ରହିଥିଲା। ସେ ହିଁ ମାଟ୍ରିକ ପାସ୍ ପରେ ବୈଲୋଚନଙ୍କ ଦକ୍ଷତା ଦେଖି ତାଙ୍କୁ ନିଜ କଲେଜ୍ରେ ପାଠ ପଢ଼ାଇଥିଲେ ଏବଂ ଶିକ୍ଷକମାନେ ନିଜ ପକେଟରୁ ଟଙ୍କା ଦେଇ ତାଙ୍କର ହଷ୍ଟେଲ୍ ଖର୍ଚ୍ଚ ବହନ କରିଥିଲେ। ତେବେ ଯୁକ୍ତ ଦୁଇ ପରେ ଆଗକୁ ପଢ଼ିବା ପାଇଁ ହୋଟେଲରେ ବାସନ ମାଜୁଥିବାର ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତୁରନ୍ତ ହଲଚଲ୍ ହୋଇଥିଲା ପ୍ରଶାସନ।
ଜଣେ ମେଧାବୀ ଆଦିବାସୀ ଛାତ୍ରଙ୍କ ଏଭଳି ସ୍ଥିତି ବିଷୟରେ ଜାଣିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନିକ ଟିମ୍ ତୁରନ୍ତ ବୈଲୋଚନଙ୍କ ଗାଁରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ବୈଲୋଚନଙ୍କ ଉଚ୍ଚଶିକ୍ଷାର ସମସ୍ତ ଆର୍ଥିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ପଷ୍ଟ ପ୍ରତିଶ୍ରୁତି ଦିଆଯାଇଛି। ତାଙ୍କର କଲେଜ୍ ନାମଲେଖା ଠାରୁ ଆରମ୍ଭ କରି ଭୁବନେଶ୍ୱରରେ ରହିବା ଓ ବହିପତ୍ର କିଣିବାର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜରିଆରେ କରିବ। ଏହି ସରକାରୀ ସହାୟତା ପରେ ବୈଲୋଚନଙ୍କ ମନରେ ଏବେ ନୂଆ ଆଶା ସଞ୍ଚାର ହୋଇଛି ଏବଂ ସେ ଆଗକୁ ପଢ଼ି ଜଣେ ଆଇପିଏସ୍ ଅଫିସର ହେବା ପାଇଁ ନିଜର ସଂକଳ୍ପକୁ ଦୋହରାଇଛନ୍ତି।
