Latest Odisha News

BREAKING NEWS

ଦିଲ୍ଲୀରୁ ଉଡ଼ିଲା ବିମାନ, ବାଟ ଭୁଲି ସିଧା ପଶିଗଲା ପାକିସ୍ତାନ ସୀମାରେ! ତା’ପରେ କଣ ହେଲା ଜାଣନ୍ତୁ…

ନୂଆଦିଲ୍ଲୀ: ଦିଲ୍ଲୀରୁ ପଞ୍ଜାବର ଅମୃତସର ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ଆକାଶ ମାର୍ଗରେ ବାଟ ହୁଡ଼ି ସିଧା ପାକିସ୍ତାନ ସୀମା ଭିତରକୁ ପଶିଯାଇଛି। ସୋମବାର (୨୨ ଜୁନ୍) ବିଳମ୍ବିତ ରାତିରେ ଏହି ରୋମାଞ୍ଚକର ତଥା ସମ୍ବେଦନଶୀଳ ଘଟଣା ଘଟିଛି। ବିମାନଟି ସୀମା ପାର୍ କରି ପାକିସ୍ତାନର ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ପରିସୀମା ମଧ୍ୟକୁ ଚାଲିଯିବା ପରେ ତୁରନ୍ତ ସେଠାକାର ପ୍ରତିରକ୍ଷା ଓ ବେସାମରିକ ବିମାନ ଚଳାଚଳ ସଂସ୍ଥା ମଧ୍ୟରେ ହଲଚଲ ସୃଷ୍ଟି ହୋଇଥିଲା।

 

ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ‘ଏଆଇ-୪୭୯’ ବିମାନଟି ସୋମବାର ରାତି ପ୍ରାୟ ୯ଟା ୧୮ ମିନିଟରେ ଦିଲ୍ଲୀରୁ ଉଡ଼ାଣ ଭରିଥିଲା। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ରାତି ୧୦ଟା ୩୦ ମିନିଟରେ ଏହା ଅମୃତସରର ଶ୍ରୀଗୁରୁ ରାମଦାସ ଜୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। କିନ୍ତୁ ଅମୃତସର ଆକାଶରେ ଅବତରଣ କରିବା ପୂର୍ବରୁ କିଛି ଯାନ୍ତ୍ରିକ ତ୍ରୁଟି ଏବଂ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ବିମାନର ଦିଗ ସାମାନ୍ୟ ବଦଳି ଯାଇଥିଲା। ଏହି ସମୟରେ ଏୟାରବସ୍ ଏ-୩୨୧ ବିମାନଟି ଆନ୍ତର୍ଜାତୀୟ ସୀମାରେଖା ଅତିକ୍ରମ କରି ପାକିସ୍ତାନ ସୀମା ଭିତରକୁ ପ୍ରାୟ ଦେଢ଼ ମାଇଲ୍ ପଶିଯାଇଥିଲା।

 

ଏହି ଦିଗ ପରିବର୍ତ୍ତନ ଚିହ୍ନଟ ହେବା ମାତ୍ରେ ପାକିସ୍ତାନର ଲାହୋର ଏଟିସି ପକ୍ଷରୁ ଭାରତୀୟ ବିମାନର ପାଇଲଟଙ୍କୁ ଜରୁରୀକାଳୀନ ଚେତାବନୀ ଦିଆଯାଇଥିଲା। ପାକିସ୍ତାନରୁ ସଙ୍କେତ ମିଳିବା କ୍ଷଣି ପାଇଲଟ୍ ନିଜର ସତର୍କତା ଏବଂ ସଠିକ୍ ବୁଦ୍ଧି ପ୍ରୟୋଗ କରି ବିମାନକୁ ଆକାଶରେ ହିଁ ‘ୟୁ-ଟର୍ଣ୍ଣ’ କରାଇ ପୁଣି ଭାରତୀୟ ସୀମାକୁ ଫେରାଇ ଆଣିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଏପ୍ରିଲ ମାସଠାରୁ ପାକିସ୍ତାନ ସରକାର ସମସ୍ତ ଭାରତୀୟ ବାଣିଜ୍ୟିକ ଏବଂ ସାମରିକ ବିମାନ ପାଇଁ ନିଜର ଆକାଶ ମାର୍ଗ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି, ଯାହା ଚଳିତ ବର୍ଷ ଜୁଲାଇ ୨୪ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏଭଳି ସ୍ଥିତିରେ ଭାରତୀୟ ବିମାନର ସେଠାରେ ପ୍ରବେଶ ମାମଲାକୁ ଗମ୍ଭୀର କରିଦେଇଥିଲା।

 

ତେବେ ଭାରତୀୟ ସୀମାକୁ ଫେରିବା ପରେ ମଧ୍ୟ ଯାତ୍ରୀ ଓ ପାଇଲଟଙ୍କ ସମସ୍ୟା ସରିନଥିଲା। ସେତେବେଳକୁ ଅମୃତସର ବିମାନବନ୍ଦରରେ ପ୍ରବଳ ବିମାନ ଚଳାଚଳ ଯୋଗୁଁ ଏହି ବିମାନକୁ ତୁରନ୍ତ ଅବତରଣ ପାଇଁ ଅନୁମତି ମିଳିନଥିଲା। କିଛି ସମୟ ଅମୃତସର ଆକାଶରେ ଚକ୍କର କାଟିବା ପରେ ଏଟିସିର ନିର୍ଦ୍ଦେଶକ୍ରମେ ବିମାନକୁ ପୁଣି ଦିଲ୍ଲୀ ଫେରାଇ ନିଆଯାଇଥିଲା ଏବଂ ସେଠାରେ ସୁରକ୍ଷିତ ଅବତରଣ କରାଯାଇଥିଲା। ପରେ ଦିଲ୍ଲୀରେ ଇନ୍ଧନ ଭରିବା ଏବଂ ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବିମାନଟି ପୁଣି ଉଡ଼ାଣ ଭରି ମଙ୍ଗଳବାର ଭୋର ପ୍ରାୟ ୨ଟା ୨୦ ମିନିଟରେ ଅମୃତସରରେ ପହଞ୍ଚିଥିଲା। ଏହି ସମଗ୍ର ଘଟଣା ଯୋଗୁଁ ଯାତ୍ରୀମାନେ ପ୍ରାୟ ଚାରି ଘଣ୍ଟା ବିଳମ୍ବରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ। ଏୟାର ଇଣ୍ଡିଆ ପକ୍ଷରୁ ଏହି ଘଟଣାକୁ ନେଇ ବେସାମରିକ ବିମାନ ଚଳାଚଳ ନିୟାମକ ସଂସ୍ଥାକୁ ଅବଗତ କରାଯାଇଛି ଏବଂ ଆନ୍ତର୍ଜାତୀୟ ସୀମା ପାର୍ ହେବାର ପ୍ରକୃତ କାରଣ ଖୋଜିବା ପାଇଁ ଏକ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.