ଚୀନର ଏକ କମ୍ପାନୀ ଛୋଟ ପିଲାଙ୍କ ପାଇଁ କଣ୍ଢେଇ ପ୍ରସ୍ତୁତ କରିଥିଲା । ନତାଶା ନାମକ ସେହି କଣ୍ଢେଇ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଅନେକ ରୀଲ୍ସ ଏହାକୁ ନେଇ କରାଯାଉଛି । ଷ୍ଟ୍ରେସ ରିଲିଫ କଣ୍ଢେଇ ଭାବେ ଏହା ବେଶ ନାମ କମାଇଥିଲେ ମଧ୍ୟ ଧୀରେ ଧୀରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଛୋଟ ପିଲାର ଏହି କଣ୍ଢେଇକୁ କଂଟେଟ କ୍ରିଏଟରମାନେ ବାଡେଇ, ପିଟ, ଦଳିଚକଟି ଓ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଦେଉଥିବା ଦେଖିବାକୁ ମିଳୁଛି । ଜୀବନ ନ ଥିବାରୁ କଣ୍ଢେଇ ଯନ୍ତ୍ରଣା ପାଉନି ସତ ମାତ୍ର ପିଲାମାନଙ୍କ ଉପରେ ଘୋର ପ୍ରଭାବ ପକାଉଛି । ଧଳା, ସବୁଜ ଓ କଳା ୩ଟି ରଙ୍ଗରେ ଏହି କଣ୍ଢେଇ ଉପଲବ୍ଧ ହେଉଛି । ତେବେ କଳା ରଙ୍ଗର କଣ୍ଢେଇ ବେଶୀ ଚର୍ଚ୍ଚାରେ ରହିଛି ।
ଏହା ପରୋକ୍ଷରେ ବର୍ଣ୍ଣବୈଷମ୍ୟ ବିବାଦକୁ ମଧ୍ୟ ସୂଚାଇଛି । କଳା ରଙ୍ଗର ବ୍ୟକ୍ତିମାନେ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଚୀନର ଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡନୋଟ ଓ ଡାୟିନରେ ଏହାର ଭିଡିଓ ଆସିଥିଲା । ଏବେ ସାରା ବିଶ୍ୱରେ ଏହାର ଟ୍ରେଣ୍ଡ ଧରିଛି । ଚୀନର ଜଣେ ବ୍ଲଗର ଏହି କଣ୍ଢେଇକୁ ଏତେ ପସନ୍ଦ କଲେ ସେ ଏହାକୁ ଝିଅ ଭାବେ ରଖିଲେ । ବ୍ଲଗରଜଣଙ୍କ ନତାଶା ନାମ ଦେଇଥିଲେ । ଏବେ ଏହି କଣ୍ଢେଇ ପ୍ରତି ହିଂସକ ଆଚରଣ ଅନେକଙ୍କୁ ନିରାଶ କରୁଛ । ସୋସିଆଲ ମିଡିଆରେ ଏ ନେଇ ମିଶ୍ର ପ୍ରତିକ୍ରିୟା ଆସିଛି । ଏହା ମାଧ୍ୟମରେ ଚାପ ହ୍ରାସ ପାଉଥିବା କୁହାଯାଉଥିବା ବେଳେ ଅନ୍ୟମାନେ ଏହା ପ୍ରତି ଆଚରଣକୁ ବିରୋଧ କରୁଛନ୍ତି ।
