ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ମହୁଲଡିହାରେ ଡବଲ ମର୍ଡର। ମା’ ଓ ଝିଅଙ୍କୁ ହାଣି ହତ୍ୟା କଲେ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଡକେଇପାଳ ଗାଁର ମୁକ୍ତାଝରୀ ସାହିରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ମୃତକାମାନେ ହେଲେ ସୀତାମଣି ଟୁଡୁ (୩୦) ଏବଂ ତାଙ୍କର ଝିଅ ଜବାମଣି ଟୁଡୁ (୮)।
ସୂଚନାନୁଯାୟୀ, ମୁକ୍ତାଝରୀ ସାହିର ଚୈତନ୍ୟ ଟୁଡୁ( ୩୫) ଶନିବାର ପୂର୍ବାହ୍ନ ୧୦ଟା ବେଳେ କୋଦାଳକୁ ଧାର କରିବା ପାଇଁ ନିକଟସ୍ଥ କମାର ଶାଳକୁ ଯାଇଥିଲେ । ଅପରାହ୍ନ ପ୍ରାୟ ୨ଟାରେ ଫେରି ଘରର ସବୁ କବାଟ ବନ୍ଦ ଥିବା ଦେଖିଥିଲେ। ଡାକିଲେ ମଧ୍ଯ କେହି ଶୁଣିନଥିଲେ। ଶୋଇବା ଘର ଭିତର ପଟୁ ବନ୍ଦ ଥିଲା। ସିଡି ଲଗାଇ ସ୍କାଇ ଲାଇଟ ପଟେ ଉଠି ଦେଖିଥିଲେ ଯେ ସ୍ତ୍ରୀ ସୀତାମଣି ଟୁଡୁ ଏବଂ ନାବାଳିକା ଝିଅ ଜବାମଣି ଟୁଡୁ ତଳେ ପଡିଛନ୍ତି । ଭିତର ପଟୁ କବାଟ ଖୋଲି ଦେଖନ୍ତି ତ ଝିଅର ବେକ ଧାରୁଆ ଅସ୍ତ୍ରରେ କଟାଯାଇଛି ଓ ସ୍ତ୍ରୀ ସୀତାର ମଧ୍ଯ ମୃତ୍ୟୁ ହୋଇଛି ।
ଏହାପରେ ସେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ ଓ ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ହତ୍ୟାକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ଆସନ୍ତାକାଲି ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି SDPO ନବକୃଷ୍ଣ ନାୟକଙ୍କ ସୂଚନା ଦେଇଛନ୍ତି ।
