Latest Odisha News

BREAKING NEWS

PoK protests: ପିଓକେରେ ବିଦ୍ରୋହ, ଖୋଲିଲା ମୁନିରଙ୍କ ଅସଲି ମୁଖା!

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ବିରୋଧ ପ୍ରଦର୍ଶନ ଲଗାତାର ତୀବ୍ର ହେଉଥିବାବେଳେ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ଆନ୍ତର୍ଜାତିକ ଛବିକୁ ନେଇ ପ୍ରଶ୍ନ ଉଠିଛି। ଗୋଟେପଟେ ସେ ବିଶ୍ୱସ୍ତରରେ ନିଜକୁ ଶାନ୍ତିର ସମର୍ଥକ ଭାବେ ଉପସ୍ଥାପନ କରୁଥିବାବେଳେ, ଅନ୍ୟପଟେ PoKରେ ପ୍ରଦର୍ଶନକାରୀଙ୍କ ବିରୋଧରେ ଦମନମୂଳକ ପଦକ୍ଷେପ ନିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି।

ବଲୁଚିସ୍ତାନ ଓ ଖାଇବର ପଖ୍ତୁନଖ୍ୱା ପରେ ବର୍ତ୍ତମାନ PoKରେ ମଧ୍ୟ ପାକିସ୍ତାନ ସରକାର ବିରୋଧରେ ଜନଅସନ୍ତୋଷ ବଢ଼ୁଛି। ବାହ୍ୟ ଶାସନରୁ ମୁକ୍ତି ଦାବି କରି ବିଭିନ୍ନ ସ୍ଥାନରେ ଲୋକେ ଆନ୍ଦୋଳନ କରୁଛନ୍ତି। ଏହି ପରିସ୍ଥିତି ପାଇଁ ପାକିସ୍ତାନ ଭାରତ ଓ ଇସ୍ରାଏଲକୁ ଦାୟୀ କରୁଥିବାବେଳେ, ବିଶ୍ଳେଷକଙ୍କ ମତରେ ଦୀର୍ଘଦିନ ଧରି କାଶ୍ମୀର ପ୍ରସଙ୍ଗରେ ପ୍ରଚାରିତ ବିଚ୍ଛିନ୍ନତାବାଦୀ ଭାବନା ବର୍ତ୍ତମାନ ତାହା ବିରୋଧରେ ହିଁ ପ୍ରଭାବ ପକାଉଛି।

ରିପୋର୍ଟ ଅନୁସାରେ, PoKରେ ଏପର୍ଯ୍ୟନ୍ତ ଅତିକମରେ ୨୦ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକଙ୍କୁ ଗିରଫ କରାଯାଇଛି। ରାୱାଲକୋଟରେ ନିଷିଦ୍ଧ ଘୋଷିତ ‘ଜଏଣ୍ଟ ଆୱାମୀ ଆକ୍ସନ କମିଟି (JAAC)’ ବ୍ୟାନରରେ ହଜାର ହଜାର ଲୋକ ଧାରଣାରେ ବସିଛନ୍ତି। ଗିରଫ ଭୟରେ JAACର ନେତାମାନେ ଆତ୍ମଗୋପନ କରିଥିବା କୁହାଯାଉଛି। ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ପରେ ମୁଜାଫରାବାଦ ଅଭିମୁଖେ ପଦଯାତ୍ରାକୁ ମଧ୍ୟ ସ୍ଥଗିତ ରଖାଯାଇଛି।

PoKରେ ବର୍ତ୍ତମାନ ସମ୍ପୂର୍ଣ୍ଣ ହରତାଳ ଚାଲିଥିବାବେଳେ ସରକାର ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି। ପ୍ରଦର୍ଶନକୁ ଦମନ କରିବା ପାଇଁ ଖାଦ୍ୟ, ଔଷଧ ଓ ଇନ୍ଧନ ଯୋଗାଣ ବନ୍ଦ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଅନ୍ୟପଟେ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ ପ୍ରଦର୍ଶନକାରୀଙ୍କୁ ‘ଭାରତୀୟ ଏଜେଣ୍ଟ’ ଓ ‘ଦେଶଦ୍ରୋହୀ’ ବୋଲି ଅଭିହିତ କରିଛନ୍ତି। ସେ ରାୱାଲକୋଟର ପ୍ରଦର୍ଶନକାରୀମାନେ ପ୍ରକୃତ କାଶ୍ମୀରୀ ନୁହନ୍ତି ବୋଲି ମଧ୍ୟ ଦାବି କରିଛନ୍ତି, ଯାହାକୁ ବିରୋଧୀ ପକ୍ଷ ଖଣ୍ଡନ କରିଛି।

ଏହି ଘଟଣାକୁ ୧୯୪୭ର ଘଟଣା ସହ ମଧ୍ୟ ତୁଳନା କରାଯାଉଛି। ସେତେବେଳେ ମହାରାଜା ହରି ସିଂହଙ୍କୁ ପାକିସ୍ତାନରେ ମିଶିବା ପାଇଁ ଚାପ ସୃଷ୍ଟି କରିବାକୁ ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରାଯାଇଥିବା କୁହାଯାଏ। ବର୍ତ୍ତମାନ ମଧ୍ୟ ସମାନ କୌଶଳ ଆପଣାଯାଉଥିବା ଅଭିଯୋଗ ହେଉଛି।

 

PoK ବିଧାନସଭାର ୫୩ଟି ଆସନ ମଧ୍ୟରୁ ଭାରତୀୟ ଜମ୍ମୁ-କାଶ୍ମୀରରୁ ଯାଇଥିବା ପ୍ରବାସୀଙ୍କ ପାଇଁ ସଂରକ୍ଷିତ ୧୨ଟି ଆସନକୁ ନେଇ ମଧ୍ୟ ବିବାଦ ବଢ଼ିଛି। ବିରୋଧୀଙ୍କ ଅଭିଯୋଗ, ଏହି ଆସନ ମାଧ୍ୟମରେ ପାକିସ୍ତାନର ସୁରକ୍ଷା ସଂସ୍ଥା ରାଜନୈତିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ଆସନ୍ତା ଜୁଲାଇ ୨୭ର ନିର୍ବାଚନ ପୂର୍ବରୁ ଏହି ଆସନ ରଦ୍ଦ କରିବା ଦାବି ଜୋର ଧରିଛି।

ଏପଟେ ଲଣ୍ଡନରେ ପାକିସ୍ତାନ ହାଇକମିଶନ ସମ୍ମୁଖରେ ମଧ୍ୟ PoK ମୂଳର ଲୋକେ ପାକିସ୍ତାନ ଓ ସେନା ବିରୋଧରେ ବିକ୍ଷୋଭ କରିଛନ୍ତି। ବିଦେଶରେ ହେଉଥିବା ଏହି ପ୍ରଦର୍ଶନ ପରେ PoKରେ ଥିବା ସେମାନଙ୍କ ପରିବାରକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ମଧ୍ୟ ଉଠିଛି। ବିଶ୍ଳେଷକଙ୍କ ମତରେ, ଆର୍ଥିକ ସଙ୍କଟ, ବେକାରୀ, ଦ୍ରବ୍ୟମୂଲ୍ୟ ବୃଦ୍ଧି ଓ ରାଜନୈତିକ ଅସନ୍ତୋଷ PoKର ପରିସ୍ଥିତିକୁ ଆହୁରି ଜଟିଳ କରୁଛି, ଯାହା ପାକିସ୍ତାନ ପାଇଁ ଆଗାମୀ ଦିନରେ ବଡ଼ ଆଭ୍ୟନ୍ତରୀଣ ଚ୍ୟାଲେଞ୍ଜ ପାଲଟିପାରେ।

Leave A Reply

Your email address will not be published.