ମାଇକ୍ରୋଫାଇନାନ୍ସ ଇଣ୍ଡଷ୍ଟ୍ରି ନେଟ୍ୱର୍କର ଅଧ୍ୟକ୍ଷ ଭାବେ ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ଉପାଧ୍ୟକ୍ଷ ଭାବେ ଜ୍ଞାନ ମୋହନ ନିର୍ବାଚିତ
ଭୁବନେଶ୍ୱର: ଆରବିଆଇ ଦ୍ୱାରା ନିୟନ୍ତ୍ରିତ ମାଇକ୍ରୋଫାଇନାନ୍ସ ଅନୁଷ୍ଠାନଗୁଡ଼ିକର ସଂଘ ମାଇକ୍ରୋଫାଇନାନ୍ସ ଇଣ୍ଡଷ୍ଟ୍ରି ନେଟୱର୍କ (ଏମଫିନ)ର ଗୁରୁଗାଓଁରେ ଅନୁଷ୍ଠିତ ୧୭ତମ ବାର୍ଷିକ ସାଧାରଣ ବୈଠକରେ ଏମଫିନ ବୋର୍ଡର ଅଧ୍ୟକ୍ଷ ଭାବେ ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ଉପାଧ୍ୟକ୍ଷ ଭାବେ ଜ୍ଞାନ ମୋହନଙ୍କୁ ନିର୍ବାଚିତ କରଯାଇଛି। ନୂଆ ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପଟ୍ଟନାୟକ ହେଉଛନ୍ତି ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଓ ଜ୍ଞାନ ମୋହନ ହେଉଛନ୍ତି ଆଦି ଚିତ୍ରଗୁପ୍ତ ଫାଇନାନ୍ସ ଲିମିଟେଡ୍ର ନିର୍ଦ୍ଦେଶକ ଓ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।
ଏମ୍ଫିନ୍ ବୋର୍ଡ ଓ ସଦସ୍ୟଙ୍କ ପକ୍ଷରୁ ଏମଫିନ ପରିଚାଳନା ବୋର୍ଡର ନୂଆ ସଦସ୍ୟ ଭାବେ ନମରା ଫାଇନାନ୍ସ ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଆଲୋକ ପଟେଲ, କ୍ରେଡିଟଆକସେସ ଗ୍ରାମୀଣ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣେଶ ନାରାୟଣନ, ଏଲଆଣ୍ଡଟି ଫାଇନାନ୍ସ ଲିମିଟେଡର ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦୀପ୍ତ ରାୟ ଓ ସ୍ପନ୍ଦନ ସ୍ଫୁର୍ତି ଫାଇନାନ୍ସିଆଲ ଲିମିଟେଡ୍ର ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭେଙ୍କଟେଶ କ୍ରିଷ୍ଣନଙ୍କୁ ସ୍ୱାଗତ କରାଯାଇଛି। ଏମଫିନ ପକ୍ଷରୁ ଏହାର ପୁରୁଣା ସଦସ୍ୟ ସ୍ୱତନ୍ତ୍ର ମାଇକ୍ରୋଫିନ୍ ଲିମିଟେଡ୍ର ପରିଚାଳନା ନିର୍ଦେଶକ ବିନିତ ଚାଟ୍ରି ଓ ଆରୋହଣ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍ର ପରିଚାଳନା ନିର୍ଦେଶକ ମନୋଜ କୁମାର ନାମ୍ବିଆରଙ୍କୁ ପ୍ରଶଂସା କରାଯାଇଛି।
ଏମ୍ଫିନ୍ର ନୂଆ ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ, “ଏଭଳି ଏକ ପ୍ରତିଶ୍ରୁତିପୂର୍ଣ୍ଣ ସମୟରେ ଏହି କ୍ଷେତ୍ରର ନେତୃତ୍ୱ ନେବା ସମ୍ମାନର ବିଷୟ । ପୋର୍ଟଫୋଲିଓର ମାନ ଦୃଢ଼ ହେବା, ନଗଦ ଫେରୁଛି ଓ ସ୍ଥାୟୀ ଅଭିବୃଦ୍ଧିର ମୁଳଦୁଆ ସୁଦୃଢ଼ ହେଉଛି । ଆମେ ମିଳିତ ଭାବେ ଆଗକୁ ବଢ଼ୁଥିବା ବେଳେ ଦାୟିତ୍ୱବାନ ସମ୍ପ୍ରସାରଣ, ନିୟାମକ ଓ ଋଣପ୍ରଦାନକାରୀଙ୍କ ସହ ବିଶ୍ୱାସକୁ ମଜଭୁତ କରିବା ଏବଂ ସାରା ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ
ମାଇକ୍ରୋଫାଇନାନ୍ସ ଏକ ଶକ୍ତିଶାଳୀ ବପଳ ହୋଇ ରହିବାକୁ ସୁନିଶ୍ଚିତ କରିବା ଉପରେ ଆମର ଧ୍ୟାନ ରହିବ।’’ଏମଫିନ୍ର ନୂଆ ଉପାଧ୍ୟକ୍ଷ ଜ୍ଞାନ ମୋହନ କହିଛନ୍ତି ଯେ, “ମାଇକ୍ରୋଫାଇନାନ୍ସ ବିଶେଷ କରି ମହିଳା ଓ ବଂଚିତ ସମୁଦାୟର ଲୋକଙ୍କ ସମେତ ସହଯୋଗ ଆବଶ୍ୟକ କରୁଥିବା ଲୋକମାନଙ୍କ ହାତରେ ଆର୍ଥିକ ସୁଯୋଗ ପହଂଚାଇ କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏହି କ୍ଷେତ୍ର ଅଭିବୃଦ୍ଧିର ନୂତନ ପର୍ଯ୍ୟାୟରେ ପ୍ରବେଶ କରିଥିବା ବେଳେ ଆମେ କରୁଥିବା ସବୁ କାମରେ କ୍ଲାଏଂଟ୍ଙ୍କ ସୁରକ୍ଷା ମୂଳକେନ୍ଦ୍ରରେ ରହିବା ନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ।’’
ଏମଫିନ୍ର ନିର୍ଦ୍ଦେଶକ ଓ ସିଇଓ ଡକ୍ଟର ଆଲୋକ ମିଶ୍ର କହିଛନ୍ତି ଯେ, “ଏହି କ୍ଷେତ୍ର ଆହ୍ୱାନପୂର୍ଣ୍ଣ ସମୟରୁ ଆଗକୁ ବଢ଼ିଛି ଏବଂ ପ୍ରଶଂସନୀୟ ଶୃଙ୍ଖଳା ଓ ସ୍ଥିରତା ପ୍ରଦର୍ଶନ କରିଛି । ନୀତି ପରାମର୍ଶ, ଏସଆରଓ ନିରୀକ୍ଷଣ, ଦକ୍ଷତା ଗଠନ, ଗବେଷଣା ଓ କ୍ଷେତ୍ରବ୍ୟାପୀ ଅଭିଯାନ ଜରିଆରେ ପରିସଂସ୍ଥାକୁ ସୁଦୃଢ଼ କରିବା ପ୍ରତି ଏମଫିନ ପ୍ରତିବଦ୍ଧ ରହିଛି । ଆମର ବିଶ୍ୱାସ ରହିଛି ଯେ ଦେବଜ୍ୟୋତି ପଟ୍ଟନାୟକ ଓ ଜ୍ଞାନ ମୋହନଙ୍କ ନେତୃତ୍ୱରେ ଶିଳ୍ପ ଏହାର ଦୃଢ଼ ମୁଳଦୁଆ ଗଢ଼ିବ ଓ ଏହାର ସ୍ଥାୟିତ୍ୱ, ସ୍ଥିରତା ଓ ଦୀର୍ଘକାଳୀନ ଅଭିବୃଦ୍ଧିକୁ ଆହୁରି ସୁଦୃଢ଼ କରିବ ।’’
