Latest Odisha News

ଜ୍ୱରରେ ପୀଡ଼ିତ ଶ୍ରୀଜିଉ; ଆରମ୍ଭ ହେବ ଗୁପ୍ତ ଉପଚାର

ପୁରୀ: ଅଣସର ଘରେ ହେବ ଶ୍ରୀଜିଉଙ୍କ ଗୁପ୍ତ ଉପଚାର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଅଣସର ପିଣ୍ଡିରେ ହେବ ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ।

ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇ ନ ପାରି ଅଲରାନାଥଙ୍କ ଦର୍ଶନ କରିବାର ପରମ୍ପରା ରହିଛି। କୁହାଯାଏ, ଏହି ସମୟରେ ବାବା ଅଲରାନାଥଙ୍କ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ।

ଏହି ଅବସରରେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳକ ଲାଗି କରାଯିବାର ପରମ୍ପରା ରହିଛି। ରାଜବୈଦ୍ୟମାନେ ଶାଳପୂର୍ଣ୍ଣ, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରିଥାନ୍ତି ।

ଗତକାଲି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ବେଦୀରେ ସ୍ନାନ ପରେ ସୋମବାର ସନ୍ଧ୍ୟାରେ ପୁରୀରେ ଶ୍ରୀଜୀଉ ମାନେ ଏକ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥିଲେ। ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କୁ ହାତୀ ବେଶ କିମ୍ବା ଗଜାନନ ବେଶରେ ସଜ୍ଜିତ କରାଯାଇଥିବା ବେଳେ ଭଉଣୀ ଦେବୀ ସୁଭଦ୍ରା ପଦ୍ମ ବେଶ ସଜେଇ ହୋଇ ଦର୍ଶନ ଦେଇଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନ ବେଦୀର ପାରମ୍ପରିକ ଛେରା ପହଁରା କରିବା ପରେ ସେବକମାନେ ପ୍ରଭୁଙ୍କୁ ବିଶାଳ ହାତୀ ମୁଖା ଏବଂ ରଙ୍ଗୀନ ପୋଷାକରେ ସଜ୍ଜିତ କରିଥିଲେ।

Leave A Reply

Your email address will not be published.