Latest Odisha News

BREAKING NEWS

India’s combat readiness: ଯୁଦ୍ଧ ପାଇଁ କେତେ ପ୍ରସ୍ତୁତ ଭାରତ?

ନୂଆଦିଲ୍ଲୀ: ଯୁଦ୍ଧର ନୂଆ ଯୁଗ!

‘ଡ୍ରୋନ୍-ଡାଟା-ଟେକ୍ନୋଲୋଜିରେ ଲଢ଼ିବ ଭାରତ’

ଜାଣନ୍ତୁ କେମିତି ବଦଳୁଛି ଭାରତୀୟ ସେନାର ଯୁଦ୍ଧ ରଣନୀତି?

ଆଉ ଯୁଦ୍ଧ କେବଳ ଟ୍ୟାଙ୍କ, ତୋପ କିମ୍ବା ବନ୍ଧୁକର ଲଢ଼େଇ ନୁହେଁ। ଯେଉଁ ଦେଶ ପାଖରେ ଅଧିକ ସଠିକ୍ ସୂଚନା, ଅତ୍ୟାଧୁନିକ ଡ୍ରୋନ୍, ଦ୍ରୁତ ନିଷ୍ପତ୍ତି କ୍ଷମତା ଏବଂ ଶକ୍ତିଶାଳୀ ପ୍ରଯୁକ୍ତି ରହିବ, ଆଗାମୀ ଯୁଦ୍ଧରେ ସେହି ଦେଶ ଆଗରେ ରହିବ। ଅବସର ଗ୍ରହଣ ପୂର୍ବରୁ ଭାରତୀୟ ସେନାପ୍ରମୁଖ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ବୟାନ ଭାରତୀୟ ସେନାର ଏହି ନୂଆ ଯୁଦ୍ଧ ନୀତିକୁ ସ୍ପଷ୍ଟ କରିଛି।

ଜେନେରାଲ୍ ଦ୍ୱିବେଦୀ କହିଛନ୍ତି, ଚୀନ୍ ସହ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC)ର ସ୍ଥିତି ବର୍ତ୍ତମାନ ସ୍ଥିର ରହିଛି। ସାମରିକ ସ୍ତରରେ ଆଲୋଚନା, ହଟଲାଇନ୍ ଓ ଫ୍ଲାଗ୍ ମିଟିଂ ମାଧ୍ୟମରେ ଉଭୟ ଦେଶ ସୀମାରେ ଶାନ୍ତି ବଜାୟ ରଖୁଛନ୍ତି। ତଥାପି ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ସବୁବେଳେ ପ୍ରସ୍ତୁତ ବୋଲି ସେ ଦୋହରାଇଛନ୍ତି।

ଅପରେସନ୍ ସିନ୍ଦୂରର ଉଦାହରଣ ଦେଇ ସେ କହିଛନ୍ତି, ଆଜିର ସମୟରେ ସଫଳ ସାମରିକ ଅଭିଯାନର ମୂଳ ଶକ୍ତି ହେଉଛି ସଠିକ୍ ଗୁଇନ୍ଦା ସୂଚନା, ସୁରକ୍ଷିତ ଯୋଗାଯୋଗ, ଯୁଗ୍ମ ଯୋଜନା ଏବଂ ଲକ୍ଷ୍ୟଭେଦୀ ଆକ୍ରମଣ। ଭବିଷ୍ୟତରେ ଯୁଦ୍ଧ ଦୀର୍ଘସ୍ଥାୟୀ ହୋଇପାରେ, ପୁଣି କ୍ଷଣିକ ଓ ଟେକ୍ନୋଲୋଜି-ନିର୍ଭର ମଧ୍ୟ ହୋଇପାରେ। ତେଣୁ ପ୍ରତ୍ୟେକ ପରିସ୍ଥିତି ପାଇଁ ସେନାକୁ ପ୍ରସ୍ତୁତ ରଖାଯାଉଛି।

ସେନାପ୍ରମୁଖଙ୍କ ମତରେ, ଡ୍ରୋନ୍ ହେଉଛି ଭବିଷ୍ୟତ ଯୁଦ୍ଧର ସବୁଠାରୁ ବଡ଼ ଅସ୍ତ୍ର। କେବଳ ନଜରଦାରି ନୁହେଁ, ଶତ୍ରୁର ସ୍ଥିତି ଚିହ୍ନଟ, ଟାର୍ଗେଟ୍ ଉପରେ ସଠିକ୍ ଆକ୍ରମଣ, ଯୁଦ୍ଧ ଖୋରାକ୍ ପହଞ୍ଚାଇବା ଓ ସେନାଙ୍କ ସୁରକ୍ଷାରେ ମଧ୍ୟ ଡ୍ରୋନ୍‌ର ଭୂମିକା ଦ୍ରୁତ ଗତିରେ ବଢ଼ୁଛି। ସେଥିପାଇଁ ସେନା କେବଳ ଡ୍ରୋନ୍ କିଣୁନାହିଁ, ବରଂ ସ୍ୱଦେଶୀ ଡ୍ରୋନ୍ ଉତ୍ପାଦନ, ପ୍ରଶିକ୍ଷିତ ମାନବ ସମ୍ବଳ, ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା ଓ ସମ୍ପୂର୍ଣ୍ଣ ଡ୍ରୋନ୍ ଇକୋସିଷ୍ଟମ୍ ଗଢ଼ି ତୋଳୁଛି।

ଏହା ସହିତ ରୁଦ୍ର ବ୍ରିଗେଡ୍, ଭୈରବ ବାଟାଲିଅନ୍, ଆଶନି ଡ୍ରୋନ୍ ପ୍ଲାଟୁନ୍, ଶକ୍ତିବାଣ ରେଜିମେଣ୍ଟ, ଦିବ୍ୟାସ୍ତ୍ର ବ୍ୟାଟେରୀ ଓ ବାଜ୍ ବାଟାଲିଅନ୍ ଭଳି ନୂଆ ୟୁନିଟ୍ ମାଧ୍ୟମରେ ଭାରତୀୟ ସେନାକୁ ଅଧିକ ଦ୍ରୁତ, ସ୍ମାର୍ଟ ଓ ଟେକ୍ନୋଲୋଜି-ନିର୍ଭର କରାଯାଉଛି।

ଜେନେରାଲ୍ ଦ୍ୱିବେଦୀ ସ୍ପଷ୍ଟ କରିଛନ୍ତି, ଭବିଷ୍ୟତର ଯୁଦ୍ଧରେ ବିଦେଶୀ ଅସ୍ତ୍ର ଉପରେ ନିର୍ଭରଶୀଳତା କମାଇ ‘ଆତ୍ମନିର୍ଭର ଭାରତ’ ହିଁ ସବୁଠାରୁ ବଡ଼ ଶକ୍ତି ହେବ। ସେଥିପାଇଁ ଡିଆରଡିଓ, ପ୍ରତିରକ୍ଷା ଶିଳ୍ପ, ଷ୍ଟାର୍ଟଅପ୍ ଓ ବେସରକାରି କମ୍ପାନୀଙ୍କ ସହ ମିଶି ସ୍ୱଦେଶୀ ଡ୍ରୋନ୍, ଆଣ୍ଟି-ଡ୍ରୋନ୍ ସିଷ୍ଟମ୍, ଇଲେକ୍ଟ୍ରୋନିକ୍ ୱାରଫେୟାର, ଲଙ୍ଗ୍-ରେଞ୍ଜ୍ ପ୍ରିସିଜନ୍ ଷ୍ଟ୍ରାଇକ୍ ଓ ଅତ୍ୟାଧୁନିକ କମ୍ୟୁନିକେସନ୍ ବ୍ୟବସ୍ଥା ବିକଶିତ କରାଯାଉଛି। ଅର୍ଥାତ୍ ସୀମାରେ କେବଳ ସୈନିକଙ୍କ ସଂଖ୍ୟା ନୁହେଁ, ଟେକ୍ନୋଲୋଜିର ଶକ୍ତି ହିଁ ଆଗାମୀ ଦିନରେ ଭାରତର ସବୁଠାରୁ ବଡ଼ ସୁରକ୍ଷା କବଚ ହେବ।

Leave A Reply

Your email address will not be published.