ଜମ୍ମୁ-କାଶ୍ମୀର : କାଠୁଆ ଜିଲ୍ଲା ହିରାନଗର ସେକ୍ଟରସ୍ଥିତ ଛନ୍ ଖତ୍ରିୟାଁ ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଗ୍ରାମବାସୀମାନେ ପାରାଟିକୁ ଦେଖିବା ପରେ ଏହାର ଗୋଡ଼ରେ ଏକ ବିଶେଷ ରିଙ୍ଗ ବନ୍ଧା ହୋଇଥିବା ଲକ୍ଷ୍ୟ କରିଥିଲେ। ସେହି ରିଙ୍ଗରେ ପାକିସ୍ତାନୀ ମୋବାଇଲ ନମ୍ବର ଲେଖାଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ତୁରନ୍ତ ଏ ନେଇ ପୋଲିସକୁ ଖବର ଦେଇଥିଲେ।
ପୋଲିସ ପାରାଟିକୁ ରଖି ସୁରକ୍ଷା ଏଜେନ୍ସିମାନଙ୍କ ସହ ମିଶି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରାଟି ଅନ୍ତର୍ଜାତୀୟ ସୀମା ପାର ହୋଇ ଆସିଛି କି ନାହିଁ ଏବଂ ଏହି ନମ୍ବରଟିର ସତ୍ୟାସତ୍ୟ କ’ଣ, ସେ ନେଇ ଯାଞ୍ଚ ଚାଲିଛି। ପ୍ରାରମ୍ଭିକ ତଦନ୍ତରୁ ପାରା ନିକଟରୁ କୌଣସି ଆପତ୍ତିଜନକ ସାମଗ୍ରୀ କିମ୍ବା ଗୁପ୍ତ ସନ୍ଦେଶ ମିଳିନାହିଁ। ତେଣୁ ଏଥିରେ କୌଣସି ଗୁପ୍ତଚର ବା ଜାସୁସୀ କୋଣ ଥିବା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ପାକିସ୍ତାନର କୌଣସି ପାରା ଦୌଡ଼ କିମ୍ବା ପାରା ପାଳକଙ୍କର ହୋଇଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।
ପୂର୍ବରୁ ମଧ୍ୟ ୨୦୨୦ ମସିହାରେ ହିରାନଗର ଅଞ୍ଚଳରୁ ସମାନ ଧରଣର ଏକ ପାରା ଉଦ୍ଧାର କରାଯାଇଥିଲା। ସୀମାନ୍ତ ଅଞ୍ଚଳରେ ଡ୍ରୋନ୍ ଗତିବିଧିକୁ ନେଇ କଡ଼ା ନଜର ରଖାଯାଇଥିବା ବେଳେ ଏହି ସନ୍ଦିଗ୍ଧ ପାରା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।


Comments are closed.