ଶ୍ରୀନଗର: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ସୁରକ୍ଷା ଏଜେନ୍ସିକୁ ଏକ ବଡ଼ ସଫଳତା ମିଳିଛି । ପାକିସ୍ତାନୀ ଆତଙ୍କବାଦୀଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି । ରାତି ସାରା ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ହାଜି ଲତିଫ୍ ନାମକ ଏକ ଏହି ଆତଙ୍କବାଦୀଙ୍କର ସହଯୋଗୀକୁ ଗିରଫ କରାଯାଇଥିବା କହିଛନ୍ତି ତଦନ୍ତକାରୀଏଜେନ୍ସି ।
ତଦନ୍ତକାରୀ ଏଜେନ୍ସିଗୁଡ଼ିକ କହିଛନ୍ତି ଯେ, ହାଜି ଲତିଫ୍ ଗତ ଦୁଇ ଦଶନ୍ଧି ଧରି ସୀମା ପାର୍ ଆତଙ୍କବାଦୀଙ୍କୁ ସହାୟତା କରିଆସୁଛି । ତା ବିରୋଧରେ ଭାରତରେ ଅନୁପ୍ରବେଶ କରାଇବା ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ଅଭିଯୋଗ ରହିଛି । ସେ ୧୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସହାୟତା ଯୋଗାଇ ଦେଇଥିବା ଅଭିଯୋଗ ଅଛି ।
ଜୁଲାଇ ୩ରୁ ଆରମ୍ଭ ହେବାକୁଥିବା ଅମରନାଥ ଯାତ୍ରା ପୂର୍ବରୁ ଏହି ଗିରଫଦାରୀକୁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି ।
ପ୍ରାରମ୍ଭିକ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଜୈଶ-ଏ-ମହମ୍ମଦର ଅନେକ ଶୀର୍ଷ କମାଣ୍ଡର ସିଆଲକୋଟ ଦେଇ ଭାରତରେ ଅନୁପ୍ରବେଶ କରିବା ପରେ ହାଜି ଲତିଫ୍ ସମ୍ପର୍କରେ ଆସୁଥିଲେ । ଏହା ବ୍ୟତୀତ, ସେ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କୁ ଲଜିଷ୍ଟିକ୍ସ, ରହିବା ସୁବିଧା ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଆସୁଥିଲେ ।
