Latest Odisha News

BREAKING NEWS

ଗ୍ଲାମର ନୁହେଁ, ଆତ୍ମବିଶ୍ୱାସ ହିଁ ପ୍ରକୃତ ପରିଚୟ

ଫେମିନିଜିମ୍ ଓ ଆଧୁନିକତା ଉପରେ ଶିଳ୍ପା ଶିନ୍ଦେଙ୍କ ବଡ଼ ବୟାନ

ମୁମ୍ବାଇ: ଚାକଚକ୍ୟ ଏବଂ ଗ୍ଲାମର ଦୁନିଆରୁ ଆସିଛି ଏକ ବଡ଼ ଖବର। ସୋସିଆଲ ମିଡିଆ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିବା ତର୍କ-ବିତର୍କ ଭିତରେ, ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶିନ୍ଦେ ଆଧୁନିକତା ଏବଂ ନାରୀବାଦ ବା ଫେମିନିଜିମ୍‌କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଶିଳ୍ପାଙ୍କ କହିବା କଥା— ଗ୍ଲାମର ନୁହେଁ, ବରଂ ଆତ୍ମବିଶ୍ୱାସ ଓ ସଂସ୍କାର ହିଁ ଜଣେ ମହିଳାର ପ୍ରକୃତ ପରିଚୟ।

ଆଜିକାଲିର ବଦଳୁଥିବା ସମୟରେ ଆଧୁନିକତାର ସଂଜ୍ଞା କଣ ? ଛୋଟ ପୋଷାକ ପିନ୍ଧିବା ନା ଖୋଲାଖୋଲି ଜୀବନଶୈଳୀ ଆପଣାଇବା ? ଏ ସବୁ ଭିତରେ ଅଭିନେତ୍ରୀ ଶିଳ୍ପା ଶିନ୍ଦେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତିର ପ୍ରକୃତ ପରିଚୟ ତାର ବାହ୍ୟ ରୂପ, ପୋଷାକ କିମ୍ବା ଲାଇଫ୍‌ଷ୍ଟାଇଲ୍‌ରୁ ମିଳେନାହିଁ। ପ୍ରକୃତ ପରିଚୟ ମିଳେ ତାର ଦୃଢ଼ ଆତ୍ମବିଶ୍ୱାସ, ସଂସ୍କାର ଏବଂ ନିଜକୁ ବୁଝିବାର କ୍ଷମତାରୁ। ଜଣେ ମହିଳା କଣ ପିନ୍ଧୁଛନ୍ତି, ସେଥିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେ ନିଜ ବିଚାରରେ କେତେ ସ୍ପଷ୍ଟ ଏବଂ ସଚ୍ଚୋଟ।

ଏତିକି ନୁହେଁ, ଶିଳ୍ପା ଶିନ୍ଦେ ନିଜ ଚିନ୍ତାଧାରାକୁ ସାମାନ୍ୟ ପାରମ୍ପରିକ ବୋଲି ସ୍ୱୀକାର କରିବା ସହ ଧୂମପାନକୁ ଆଧୁନିକତାର ପରିଭାଷା ମାନିବାକୁ ସାଫ୍ ମନା କରିଦେଇଛନ୍ତି। ଶିଳ୍ପା ଶିନ୍ଦେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ସେ ମହିଳାମାନଙ୍କ ଧୂମପାନ କରିବାକୁ ପସନ୍ଦ କରନ୍ତି ନାହିଁ। ଧୂମପାନ, ମଦ୍ୟପାନ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଶୈଳୀର ପୋଷାକ ପିନ୍ଧିବା କେବେ ବି ମଡର୍ଣ୍ଣ ହେବାର ପ୍ରମାଣ ହୋଇପାରିବ ନାହିଁ। ପ୍ରକୃତ ସ୍ୱାଧୀନତା ଏବଂ ପ୍ରକୃତ ଆଧୁନିକତା ବ୍ୟକ୍ତିର ଚିନ୍ତାଧାରା ଏବଂ ତାର ସଠିକ୍ ନିଷ୍ପତ୍ତି ନେବାର କ୍ଷମତାରେ ପ୍ରତିଫଳିତ ହୋଇଥାଏ।

ବୋଲ୍ଡନେସ୍ ଚିନ୍ତାଧାରାରେ ଥାଏ, ପୋଷାକରେ ନୁହେଁ। ପୋଷାକ ଦେଖି କାହାର ମାନସିକତା ବିଚାର କରାଯାଇପାରିବ ନାହିଁ ବୋଲି କହିଛନ୍ତି ଶିଳ୍ପା।
ତାଙ୍କ କହିବା ଅନୁସାରେ, ଜଣେ ମହିଳା ଶାଢ଼ି ପିନ୍ଧି ମଧ୍ୟ ଆଧୁନିକ ଓ ପ୍ରଗତିଶୀଳ ଚିନ୍ତାଧାରାର ହୋଇପାରନ୍ତି, ଏବଂ ପାଶ୍ଚାତ୍ୟ ପୋଷାକ ପିନ୍ଧୁଥିବା ବ୍ୟକ୍ତି ମଧ୍ୟ ପୁରୁଣା ଚିନ୍ତାଧାରାର ହୋଇପାରନ୍ତି। ବାହ୍ୟ ଦେଖାଣହାରୀ ଏବଂ ପ୍ରକୃତ ବ୍ୟକ୍ତିତ୍ୱ— ଏ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଜିନିଷ।

ଶେଷରେ ମହିଳା ସଶକ୍ତୀକରଣ ଉପରେ ଜୋର ଦେଇ ଶିଳ୍ପା କହିଛନ୍ତି ଯେ, ପ୍ରତ୍ୟେକ ମହିଳା ନିଜର ମୂଲ୍ୟ ବୁଝିବା ଉଚିତ୍। ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଏବଂ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଜୀବନ ଜିଇଁବା ହିଁ ପ୍ରକୃତ ନାରୀ ସଶକ୍ତୀକରଣ। ଗ୍ଲାମର ଦୁନିଆରେ ଥାଇ ମଧ୍ୟ ଶିଳ୍ପାଙ୍କର ଏଭଳି ସ୍ପଷ୍ଟ ଏବଂ ମୂଲ୍ୟବୋଧଭିତ୍ତିକ ଚିନ୍ତାଧାରାକୁ ଏବେ ସବୁଆଡ଼େ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.