ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି । ସେ ବେଙ୍ଗାଲୁରରେ ଯାଇ ରହିବେ । ବାରମ୍ବାର ଆଘାତ ସମସ୍ୟାରେ ପଡୁଥିବାରୁ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବାଧାପ୍ରାପ୍ତ ହେଉଛି । ଏହାକୁ ମଜଭୁତ କରିବା ପାଇଁ ସେ ଏହି ନିଷ୍ପତି ନେଇଛନ୍ତି । ଏବେ ସେ ବିସିସିଆଇର ସେଂଟର ଅଫ ଏକ୍ସିଲେନ୍ସିର ଆଘାତରୁ ମୁକୁଳିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ବେଙ୍ଗାଲୁରରେ ରହିଲେ ସେ ସିଓଇର ଟ୍ରେନିଂ ସୁବିଧାର ଭରପୂର ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି ।
ହାର୍ଦ୍ଦିକ ଅତି କମରେ ୫ରୁ ୬ ବର୍ଷ ଭାରତୀୟ ଦଳ ପକ୍ଷରୁ ଖେଳିବା ପାଇଁ ଚାହୁଁଛନ୍ତି । ଆନ୍ତର୍ଜାତୀୟ କ୍ୟାରିୟର ଶେଷ ହେବା ପରେ ସେ କେଉଁଠାରେ ରହିବେ ପରେ ନିଷ୍ପତି ନେବେ ବୋଲି ଜଣାପଡିଛି । ରିପୋର୍ଟ ମୁତାବକ ସେ ଏକ ପ୍ରପର୍ଟି ଭଡା ସୂତ୍ରରେ ନେଇଛନ୍ତି । ଯାହାକି ସିଓଇର ନିକଟରେ ଅବସ୍ଥିତ । ଅଧିକାଂଶ ଖେଳାଳି ଆଘାତ ସମସ୍ୟାରେ ପଡିବା ପରେ ଏଠାକୁ ଆସିଥାନ୍ତି । ହାର୍ଦ୍ଦିକ ଏ ନେଇ ଏକ ସ୍ଥାୟୀ ସମାଧାନ ବାହାର କରିଛନ୍ତି ।
