Latest Odisha News

BREAKING NEWS

କ୍ରିକେଟ୍ ପ୍ରଶିକ୍ଷଣରେ ଏଆଇ (AI) ଟେକ୍ନୋଲୋଜି ଆପଣାଇଲା ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍

ମୁମ୍ବାଇ: କ୍ରିକେଟ୍ ପ୍ରଶିକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ଟେକ୍ନୋଲୋଜିର ବ୍ୟବହାର ଆରମ୍ଭ କରିଛି। ଦେଶର ପ୍ରଥମ କ୍ରିକେଟ୍ ସଂଘ ଭାବେ ଏମ୍‌ସିଏ ଏହି ଅତ୍ୟାଧୁନିକ ଜ୍ଞାନକୌଶଳକୁ ନିଜ କୋଚିଂ ପଦ୍ଧତିରେ ସାମିଲ କରିଛି । ଏଥିପାଇଁ ସିଙ୍ଗାପୁର ସ୍ଥିତ ଏଆଇ କମ୍ପାନୀ ‘ଲେଭଲ୍ ଅପ୍ ସ୍ପୋର୍ଟସ୍‌ଲିଟିକ୍ସ’ ସହ ଏମ୍‌ସିଏ ଚୁକ୍ତିବଦ୍ଧ ହୋଇଛି। ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ସ୍ଥିତ ଶରଦ ପାୱାର ଇନଡୋର କ୍ରିକେଟ୍ ଏକାଡେମୀରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାର ଶୁଭାରମ୍ଭ କରାଯାଇଛି।

ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରତ୍ୟେକ ପିଚ୍‌ରେ ବିଭିନ୍ନ କୋଣରୁ ଖେଳାଳିଙ୍କ ପ୍ରଦର୍ଶନକୁ ରେକର୍ଡ କରିବା ପାଇଁ ୪ଟି ଲେଖାଏଁ କ୍ୟାମେରା ଲଗାଯାଇଛି। ଏହା ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ପ୍ରତ୍ୟେକଟି ମୁହୂର୍ତ୍ତର ସୂକ୍ଷ୍ମ ତଥ୍ୟ ସଂଗ୍ରହ କରିବ। ଯଦି ଜଣେ କୋଚ୍ କୌଣସି ଖେଳାଳିଙ୍କ ନିର୍ଦ୍ଦିଷ୍ଟ ସଟ୍ (ଯେପରିକି ବ୍ୟାକ୍-ଫୁଟ୍ ସଟ୍) ବିଷୟରେ ବିଶ୍ଳେଷଣ କରିବାକୁ ଚାହାଁନ୍ତି, ତେବେ ସେ କମ୍ପାନୀର ଆପ୍‌ରେ ଖେଳାଳିଙ୍କ ନାମ ଟାଇପ୍ କରି ତୁରନ୍ତ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ।

ଏହି ପଦକ୍ଷେପ ସମ୍ପର୍କରେ ଏମ୍‌ସିଏ ସଭାପତି ଅଜିଙ୍କ୍ୟ ନାୟକ କହିଛନ୍ତି ଯେ, ସମୟ ସହ ତାଳ ଦେଇ ଆମକୁ ବଦଳିବାକୁ ପଡ଼ିବ । ଦୈନନ୍ଦିନ ନେଟ୍ସ ଅଭ୍ୟାସରେ ଏଆଇର ବ୍ୟବହାର ଦ୍ୱାରା ଖେଳାଳି ଓ କୋଚ୍ କିପରି ଉପକୃତ ହେଉଛନ୍ତି, ତାହା ଜାଣିବା ପାଇଁ ବର୍ତ୍ତମାନ ଏହାକୁ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି। ଉଭୟ କୋଚ୍ ଏବଂ ଖେଳାଳିଙ୍କ ମତାମତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଅନ୍ୟପକ୍ଷରେ, ‘ଲେଭଲ୍ ଅପ୍ ସ୍ପୋର୍ଟସ୍‌ଲିଟିକ୍ସ’ର ପ୍ରତିଷ୍ଠାତା ତଥା ସିଇଓ ସୀତାଂଶୁ ଦାଶ ଏମ୍‌ସିଏର ଏହି ସାହସିକ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ଟେକ୍ନୋଲୋଜି କୋଚ୍‌ମାନଙ୍କୁ ଭର୍ଚୁଆଲ୍ ସହାୟତା ପ୍ରଦାନ କରିବ, ଯାହାଫଳରେ ସେମାନଙ୍କ କାର୍ଯ୍ୟଦକ୍ଷତା ୨୦ରୁ ୧୦୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇବ। କମ୍ ସମୟ ମଧ୍ୟରେ କୋଚ୍‌ମାନେ ଖେଳାଳିଙ୍କ ତ୍ରୁଟି ସୁଧାରିବାରେ ଏହା ଏକ ଶକ୍ତିଶାଳୀ ମାଧ୍ୟମ ସାଜିବ।

Leave A Reply

Your email address will not be published.