କଟକରେ ଜଳବନ୍ଦୀ ସମସ୍ୟାକୁ ନେଇ ରାଜନୀତି ସରଗରମ: ସିଏମ୍ସି ଘେରାଉ କଲା ଓଜେସି, ମେୟର ଓ ଗିରିବାଳାଙ୍କ ମଧ୍ୟରେ ବାକ୍ଯୁଦ୍ଧ
କଟକ: ସହରର ଡ୍ରେନେଜ୍ ବ୍ୟବସ୍ଥା ତଥା କୃତ୍ରିମ ଜଳବନ୍ଦୀ ସମସ୍ୟାକୁ ନେଇ ଆଜି ସହରରେ ଏକ ଅଭାବନୀୟ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। କଟକ ମହାନଗର ନିଗମ (ସିଏମ୍ସି)ର ଅପାରଗତା ବିରୋଧରେ ନବଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ମଙ୍ଗଳବାର ସିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ଏହି ଆନ୍ଦୋଳନ ପରବର୍ତ୍ତୀ ସମୟରେ ଓଜେସି ନେତ୍ରୀ ଗିରିବାଳା ବେହେରା ଏବଂ କଟକ ମେୟର ସୁବାସ ସିଂହଙ୍କ ମଧ୍ୟରେ ବ୍ୟକ୍ତିଗତ ଆକ୍ଷେପ ତଥା ତୀବ୍ର କାଦୁଅ ଫିଙ୍ଗା ରାଜନୀତିର ରୂପ ନେଇଛି।
ବର୍ଷା ପୂର୍ବରୁ ଡ୍ରେନ୍ରୁ ଠିକ୍ ଭାବେ ପଙ୍କ ଉଦ୍ଧାର ନହେବା ଏବଂ ଜଳ ନିଷ୍କାସନ ପାଇଁ ଥିବା ପମ୍ପ୍ ଗୁଡ଼ିକ ଅଚଳ ରହିବା କାରଣରୁ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଓଜେସି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦଳର କର୍ମୀମାନେ ହାତରେ ଦାନ ବାକ୍ସ ଧରି ପ୍ରତୀକାତ୍ମକ ଢଙ୍ଗରେ ବିକ୍ଷୋଭ କରିଥିଲେ।
ଏହି ଅବସରରେ ଓଜେସି ନେତ୍ରୀ ଗିରିବାଳା ବେହେରା ମେୟର ସୁବାସ ସିଂହଙ୍କ ଉପରେ ସିଧାସଳଖ ନିଶାନା କରିଥିଲେ। ସେ କହିଥିଲେ ଯେ, “ଦିନେ ଗୋଟିଏ ଟିଣ ବାକ୍ସ ଧରି କମ୍ୟୁନିଷ୍ଟ ପାର୍ଟିର ଆଦର୍ଶରୁ ନିଜର ଜୀବନ ଆରମ୍ଭ କରିଥିବା ସୁବାସ ସିଂହଙ୍କୁ କଟକବାସୀ ବିଶ୍ୱାସ କରି ଭୋଟ୍ ଦେଇଥିଲେ। ସେ ସହରକୁ ୟୁରୋପ କରିଦେବେ ଏବଂ ମଶା ବଂଶ ଲୋପ କରିଦେବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କ୍ଷମତାକୁ ଆସିବା ପରେ ସିଏମ୍ସିର ଟଙ୍କା ଦେଖି ସେ ଲୋଭୀ ହୋଇଯାଇଛନ୍ତି। ଡ୍ରେନ୍ ସଫା ନାଁରେ କୋଟି କୋଟି ଟଙ୍କା ହଡ଼ପ କରି ସେ ନିଜେ କୋଟିପତି ବନିଯାଇଛନ୍ତି, ଅଥଚ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।”
ଅନ୍ୟପଟେ ନିଜ ଉପରେ ହୋଇଥିବା ଦୁର୍ନୀତି ଅଭିଯୋଗର କଡ଼ା ଜବାବ ରଖିଛନ୍ତି ମେୟର ସୁବାସ ସିଂହ। ସେ ଗିରିବାଳା ବେହେରା ଏବଂ ଓଜେସି ମୁଖ୍ୟ ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଉପରେ ବର୍ଷିଛନ୍ତି।
ମେୟର ଅଭିଯୋଗ କରିଛନ୍ତି ଯେ, ଗିରିବାଳା ବେହେରା ସିଡିଏ ଅଞ୍ଚଳରେ ବହୁ ଜମି ଜବରଦଖଲ କରିଛନ୍ତି। ଏପରିକି ନିଜ ସ୍ୱର୍ଗତଃ ଭାଇଙ୍କ ସମ୍ପତ୍ତିକୁ ମଧ୍ୟ ସେ ହଡ଼ପ କରିନେଇଛନ୍ତି, ଯେଉଁଥିପାଇଁ ତାଙ୍କ ଭାଉଜ ଥାନାରେ ଏଫ୍ଆଇଆର୍ ଦେଇ ଦ୍ୱାରସ୍ଥ ହୋଇଛନ୍ତି। “ଯେଉଁମାନଙ୍କ ନିଜର କୌଣସି ସମ୍ମାନ ନାହିଁ, ସେମାନେ ମୋତେ କ’ଣ କହିବେ?” ବୋଲି ସୁବାସ ସିଂହ ପ୍ରଶ୍ନ କରିଛନ୍ତି।
କଟକର ଜଳବନ୍ଦୀ ସମସ୍ୟା ପାଇଁ ସେ ପରୋକ୍ଷରେ ମହମ୍ମଦ ମୋକିମ୍ଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ସହରର ପୋଖରୀ ଓ ପ୍ରାକୃତିକ ଜଳାଶୟ ଗୁଡ଼ିକୁ ପୋତି ବଡ଼ ବଡ଼ କୋଠା ନିର୍ମାଣ କରିବା ହିଁ ଆଜିର ଏହି ଦୁର୍ଦ୍ଦଶାର ମୁଖ୍ୟ କାରଣ। ଆଉ ଏହି ବିକ୍ଷୋଭ ପ୍ରଦର୍ଶନ କେବଳ ଟଙ୍କା ବଳରେ କରାଯାଉଛି ବୋଲି ମେୟର ସିଧାସଳଖ ଆକ୍ଷେପ କରିଛନ୍ତି। ତେବେ ମେୟରଙ୍କ ଏହି ମନ୍ତବ୍ୟ ଉପରେ ମୋକିମ୍ଙ୍କ ପକ୍ଷରୁ କୌଣସି ତୁରନ୍ତ ପ୍ରତିକ୍ରିୟା ମିଳିପାରିନାହିଁ।
ଏସବୁ ବିବାଦ ଭିତରେ ସିଏମ୍ସି କାର୍ଯ୍ୟାଳୟ ଭିତରେ ଆଉ ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା। ନିଜର ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ଓଜେସି ପ୍ରତିନିଧିମାନଙ୍କୁ ସିଏମ୍ସି କମିଶନର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଓଜେସିର କହିବା ଅନୁଯାୟୀ, କମିଶନର ଆନ୍ଦୋଳନକାରୀଙ୍କୁ ତାଚ୍ଛଲ୍ୟ କରି “ଏଟା କ’ଣ ଟିଭି ସୋ’ ଚାଲିଛି କି?” ବୋଲି ପ୍ରଶ୍ନ କରିଥିଲେ ଏବଂ ଜଣେ ପୂର୍ବତନ କର୍ପୋରେଟରଙ୍କୁ “ଗେଟ୍ ଆଉଟ୍” କହି ବାହାର କରିଦେଇଥିଲେ।
ଏଥିରେ ଉତ୍କ୍ଷିପ୍ତ ହୋଇ ଓଜେସି ସଦସ୍ୟମାନେ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ।
