ନକଲି ସିବିଆଇ ଅଫିସର ବେଶରେ ‘ଡିଜିଟାଲ୍ ଆରେଷ୍ଟ’ ଠକେଇ: ମୁମ୍ବାଇରୁ ଦୁଇ ସାଇବର ଲୁଟେରାଙ୍କୁ ବାନ୍ଧିଲା ରାଉରକେଲା ପୋଲିସ
ରାଉରକେଲା: ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ସାଧାରଣ ଲୋକଙ୍କୁ ଭୟଭୀତ କରାଇବା ସହ ‘ଡିଜିଟାଲ୍ ଆରେଷ୍ଟ’ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଏକ ବଡ଼ ଧରଣର ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ। ଏହି ସୁସଂଗଠିତ ରାକେଟ୍ରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିବା ବେଳେ ଏହାର ଚେର ବିଦେଶ ଯାଏଁ ଲମ୍ବିଥିବା ସନ୍ଦେହ କରାଯାଉଛି।
ପୋଲିସର ସୂଚନାନୁସାରେ, ଏହି ଆନ୍ତଃରାଜ୍ୟ ଠକ ଗ୍ୟାଙ୍ଗ ଦେଶର ୮ଟି ରାଜ୍ୟରେ ସକ୍ରିୟ ଥିଲା। ସୋସିଆଲ୍ ମିଡିଆ ଏବଂ ଫୋନ୍ କଲ୍ ମାଧ୍ୟମରେ ସେମାନେ ଲୋକଙ୍କୁ ଟାର୍ଗେଟ କରୁଥିଲେ। ନିଜକୁ ବଡ଼ ତଦନ୍ତକାରୀ ସଂସ୍ଥାର ଅଧିକାରୀ କିମ୍ବା ସିବିଆଇ ଅଫିସର ବୋଲି ଦାବି କରି ସେମାନେ ଲୋକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଗିରଫଦାରୀର ଭୟ ଦେଖାଉଥିଲେ। ପୀଡ଼ିତଙ୍କ ଉପରେ ପ୍ରବଳ ମାନସିକ ଚାପ ପକାଇ ସେମାନଙ୍କୁ ‘ଡିଜିଟାଲ୍ ଆରେଷ୍ଟ’ କରି ରଖୁଥିଲେ ଏବଂ ମାମଲାରୁ ବର୍ତ୍ତିବା ପାଇଁ ଅନଲାଇନ୍ ମାଧ୍ୟମରେ ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର୍ କରିବାକୁ ବାଧ୍ୟ କରୁଥିଲେ।
ଗତ ମାର୍ଚ୍ଚ ୧୦ ତାରିଖରେ ରାଉରକେଲାରେ ଜଣେ ବ୍ୟକ୍ତି ଏହି ଗ୍ୟାଙ୍ଗର ଶିକାର ହୋଇଥିଲେ। ତାଙ୍କୁ ଡିଜିଟାଲ୍ ଆରେଷ୍ଟର ଭୟ ଦେଖାଇ ଠକମାନେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହେବା ପରେ ଏସପିଙ୍କ ନିର୍ଦ୍ଦେଶରେ ସାଇବର ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲା। ଟେକ୍ନିକାଲ୍ ଟ୍ରାକିଂ ମାଧ୍ୟମରେ ଗ୍ୟାଙ୍ଗର ଲୋକେସନ୍ ଟ୍ରେସ୍ କରାଯାଇ ମୁମ୍ବାଇରୁ ଦୁଇ ଜଣଙ୍କୁ କାବୁ କରାଯାଇଛି।
ଏହି ସଫଳତା ନେଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ କହିଛନ୍ତି, “ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବ୍ୟାପକ ସଚେତନତା ସତ୍ତ୍ୱେ ଲୋକେ ଏବେ ବି ଡିଜିଟାଲ୍ ଆରେଷ୍ଟ ସମ୍ପର୍କରେ ଜାଣିପାରୁନାହାନ୍ତି ଏବଂ ଠକମାନେ ଏହାର ଫାଇଦା ଉଠାଉଛନ୍ତି। ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଯେ, ଯଦି କୌଣସି ଅଜଣା ବ୍ୟକ୍ତି ଫୋନ୍ କରି ପୋଲିସ ବା ସିବିଆଇ ଅଫିସର ପରିଚୟ ଦେଇ ଡରାଉଛନ୍ତି, ତେବେ ତୁରନ୍ତ ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦ କିମ୍ବା ୧୧୨ କୁ ଡାଏଲ୍ କରନ୍ତୁ। ପୋଲିସ ଆପଣଙ୍କୁ ନିଶ୍ଚିତ ସାହାଯ୍ୟ କରିବ।”
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହା ଏକ ଅତି ସୁସଂଗଠିତ ନେଟୱର୍କ। ଏହି ରାକେଟ୍ର ମାଷ୍ଟରମାଇଣ୍ଡ ଦେଶ ବାହାରୁ ଏହାକୁ ପରିଚାଳନା କରୁଥିବା ସନ୍ଦେହ କରାଯାଉଛି। ଫେରାର୍ ଥିବା ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରିବା ସହ ପୂରା ନେଟୱର୍କକୁ ନଷ୍ଟ କରିବା ପାଇଁ ରାଉରକେଲା ପୋଲିସର ଖୋଳତାଡ଼ ଜାରି ରହିଛି।
