Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଡ଼ ଘୋଷଣା: ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମିଳିବ ମାଗଣା ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ରାଜ୍ୟରେ କିଶୋର-କିଶୋରୀମାନଙ୍କ ପୁଷ୍ଟିସାଧନକୁ ଗୁରୁତ୍ୱ ଦେବା ସହ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ପ୍ରାଥମିକ ସ୍ତର ପରି ମାଧ୍ୟମିକ ସ୍ତରରେ ଅର୍ଥାତ୍ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାଗଣାରେ ଗରମ ତଥା ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା’ର ସମ୍ପ୍ରସାରଣକୁ ବିଧିବଦ୍ଧ ମଞ୍ଜୁରୀ ପ୍ରଦାନ କରାଯାଇଛି।

 

ସରକାରୀ ସୂଚନା ଅନୁଯାୟୀ, ଆସନ୍ତା ୪ ବର୍ଷ ପାଇଁ ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ୩,୫୦୬.୯୯ କୋଟି ଟଙ୍କାର ପାଣ୍ଠିକୁ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ପ୍ରାୟ ୪୬.୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ୍ ୧, ୨୦୨୫ ରେ ମୁଖ୍ୟମନ୍ତ୍ରୀ ଏହି ଫ୍ଲାଗସିପ୍ ଯୋଜନାର ଶୁଭାରମ୍ଭ କରିଥିଲେ। ୨୦୨୫-୨୬ ରୁ ଆରମ୍ଭ ହୋଇ ୨୦୩୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ, ଅର୍ଥାତ୍ ୫ ବର୍ଷ ଧରି ଚାଲିବାକୁ ଥିବା ଏହି ବୃହତ ପ୍ରକଳ୍ପ ପାଇଁ ସର୍ବମୋଟ ୪,୨୨୪.୪୬ କୋଟି ଟଙ୍କା ଖର୍ଚ୍ଚ ହେବାର ଲକ୍ଷ୍ୟ ରଖାଯାଇଛି। କେବଳ ୨୦୨୫-୨୬ ଆର୍ଥିକ ବର୍ଷରେ ୮,୯୬୨ ଟି ବିଦ୍ୟାଳୟର ୧୧,୨୩,୫୩୬ ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଏଥିପାଇଁ ଖର୍ଚ୍ଚ ହୋଇଥିବା ୬୬୫.୩୬ କୋଟି ଟଙ୍କାକୁ କ୍ୟାବିନେଟ୍ ପିଛିଲା ଭାବେ ଅନୁମୋଦନ ଦେଇଛନ୍ତି।

 

ପୂର୍ବରୁ ଜାତୀୟସ୍ତରରେ ‘ପିଏମ୍ ପୋଷଣ’ ଯୋଜନା ଅଧୀନରେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଥିଲା। ତେବେ ଅନେକ ଗରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ହାଇସ୍କୁଲରେ ପହଞ୍ଚିଲା ବେଳକୁ ପୁଷ୍ଟିକର ଖାଦ୍ୟର ଅଭାବ ଏବଂ ପାରିବାରିକ ଅସୁବିଧା କାରଣରୁ ଅଧାରୁ ପାଠ ଛାଡ଼ିଦେଉଥିଲେ। ‘ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା’ ଏହି ଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଇଦେବ। କିଶୋର ଅବସ୍ଥାରେ ଶାରୀରିକ ଓ ମାନସିକ ବିକାଶ ପାଇଁ ସଠିକ୍ ପୋଷଣ ଅତ୍ୟନ୍ତ ଜରୁରୀ। ସ୍କୁଲରେ ଦୈନନ୍ଦିନ ଗରମ ତଥା ପୁଷ୍ଟିକର ଖାଦ୍ୟ ମିଳିଲେ ଛାତ୍ରଛାତ୍ରୀଙ୍କ ଏକାଗ୍ରତା ବୃଦ୍ଧି ପାଇବ, ଅଧାରୁ ପାଠ ଛାଡ଼ିବା ହାର କମିବ ଏବଂ ଶ୍ରେଣୀଗୃହରେ ସେମାନଙ୍କ ଉପସ୍ଥାନ ବଢ଼ିବ। ଏହାଦ୍ୱାରା ରାଜ୍ୟରେ ଶିକ୍ଷାର ମାନରେ ବ୍ୟାପକ ସୁଧାର ଆସିପାରିବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି।

Leave A Reply

Your email address will not be published.