ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘମାଘୋଟ ଲଢେଇ। ତୃଣମୂଳ କଂଗ୍ରେସ ବା ଟିଏମସି ପ୍ରକୃତରେ କାହାର? ଏହି ପ୍ରଶ୍ନ ଏବେ ଦେଶର ରାଜନୈତିକ କରିଡରରେ ହଇଚଇ ସୃଷ୍ଟି କରିଛି। ଦଳର ମଙ୍ଗ ଧରିଥିବା ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ରିତାବ୍ରତ ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ‘ଟିଏମସି ଦଖଲ’ ଲଢ଼େଇ ଏବେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। କମିଶନ ଉଭୟ ଗୋଷ୍ଠୀକୁ ନୋଟିସ୍ ଜାରି କରି ଜୁଲାଇ ୬ ତାରିଖ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୬ ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଏହାର ସୁଯୋଗ ନେଇ ଉଲୁବେଡ଼ିଆ ପୂର୍ବରୁ ବିଧାୟକ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଏକ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ହୋଇଉଠିଥିଲେ। ଗତ ଜୁନ୍ ୨୨ ତାରିଖରେ ଏହି ଗୋଷ୍ଠୀ ଏକ ସ୍ୱତନ୍ତ୍ର ସାଂଗଠନିକ ବୈଠକ ଡକାଇ ମମତା ବାନାର୍ଜୀଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିବା ଦାବି କରିଥିଲେ। ଏଥିସହିତ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଥିବା ସେମାନେ ଘୋଷଣା କରିଥିଲେ।
ବିଦ୍ରୋହୀ ଗୋଷ୍ଠୀର ଦାବି ହେଲା, ଦଳର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୬୫ ଜଣଙ୍କ ସମର୍ଥନ ସେମାନଙ୍କ ସହ ରହିଛି, ତେଣୁ ସେମାନେ ହିଁ ‘ପ୍ରକୃତ ଟିଏମସି’। ଏହି ଦାବି ନେଇ ରିତବ୍ରତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଥିଲେ।
ଅନ୍ୟପଟେ, ମମତା ବାନାର୍ଜୀଙ୍କ ସମର୍ଥକମାନେ ଏହି ପଦକ୍ଷେପକୁ ଦୃଢ଼ ବିରୋଧ କରିଛନ୍ତି। ବରିଷ୍ଠ ନେତା ସୌଗତ ରାୟ ଏବଂ ସାଗରିକା ଘୋଷଙ୍କ ମତରେ, ଦଳର ଅଧିକୃତ ସଭ୍ୟ ନହୋଇ ମଧ୍ୟ ନିର୍ବାଚନ କମିଶନ କିପରି ବିଦ୍ରୋହୀଙ୍କୁ ଭେଟିଲେ, ତାହା ବଡ଼ ପ୍ରଶ୍ନ। ସେମାନେ ଏହାକୁ ବିଜେପିର ଏକ ଚକ୍ରାନ୍ତ ବୋଲି ଅଭିହିତ କରିଛନ୍ତି। ମମତାଙ୍କ ଶିବିରର କହିବା କଥା, “ଟିଏମସି ଅର୍ଥ ମମତା ବାନାର୍ଜୀ, ଏବଂ ଏହି ଦଳର ନିୟନ୍ତ୍ରଣ ସେମାନଙ୍କ ପାଖରେ ହିଁ ରହିଛି।”
ନିର୍ବାଚନ କମିଶନଙ୍କ ସମ୍ମୁଖରେ ଏବେ ଏକ ବଡ଼ ଆହ୍ୱାନ। ଦଳର ସାଂଗଠନିକ ଏବଂ ବିଧାନସଭା ସଦସ୍ୟଙ୍କ ସଂଖ୍ୟାବଳକୁ ଆଧାର କରି କମିଶନ ନିଷ୍ପତ୍ତି ନେବେ। ଯଦି କୌଣସି ପକ୍ଷର ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ଜଣାପଡ଼ିବ ନାହିଁ, ତେବେ କମିଶନ ଦଳର ନାମ ଓ ଚିହ୍ନକୁ ସ୍ଥଗିତ ରଖିପାରନ୍ତି।
ବର୍ତ୍ତମାନ ଉଭୟ ପକ୍ଷ ନିଜ ନିଜର ଦଲିଲ୍ ପ୍ରସ୍ତୁତ କରୁଛନ୍ତି। ଜୁଲାଇ ୬ ପରେ ଏହି ରାଜନୈତିକ ଲଢ଼େଇ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର। ଏହି ବିବାଦ କେବଳ ରାଜନୈତିକ ନୁହେଁ, ଦଳର ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଚ ଦଖଲକୁ ନେଇ ମଧ୍ୟ ସଙ୍ଗୀନ ହୋଇପଡ଼ିଛି।