ଗଞ୍ଜାମ:ଗଞ୍ଜାମ ବ୍ଲକର ପୋଡ଼ମପେଟା ଗାଁରେ ସମୁଦ୍ର କୂଳ ଲଙ୍ଘୁଛି । ପୋଡ଼ମପେଟା ସମେତ ୧୭ ଖଣ୍ଡ ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଆଶଂକା ରହିଛି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ପ୍ରତିନିଧି ଏବଂ ପ୍ରଶାସନ ତରଫରୁ ବ୍ୟାପକ ସକାରାତ୍ମକ ପ୍ରୟାସ ଆରମ୍ଭ ହୋଇଛି। ଏପଟେ ଗଞ୍ଜାମ ବ୍ଲକର ପୁରୁଣା ପୋଡ଼ମପେଟା, କଣ୍ଟିଆଗଡ, ଖଟୁଆକୁଦା, ନୀଳାଦ୍ରିପୁର ଭଳି ତୀବ୍ର ଜୁଆର ପ୍ରଭାବିତ ଗ୍ରାମଗୁଡ଼ିକର ସୁରକ୍ଷା ପାଇଁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବିଧାୟକ ଏକ ପତ୍ର ମାଧ୍ୟମରେ ପାଳିବନ୍ଧ ପଞ୍ଚାୟତର ୯ଟି ଗ୍ରାମ ଏବଂ ରାମଗଡ଼ ପଞ୍ଚାୟତର ୭ରୁ ଅଧିକ ଗ୍ରାମର ବସତି ସହ ପବିତ୍ର ବଟେଶ୍ୱର ପୀଠର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ିଛନ୍ତି।ପୂର୍ବରୁ ବିଶେଷଜ୍ଞ କମିଟି ଦ୍ୱାରା ହୋଇଥିବା କ୍ଷେତ୍ର ମୂଲ୍ୟାଙ୍କନ ଓ ସୁପାରିଶ ଗୁଡ଼ିକୁ ଆଧାର କରି ତୁରନ୍ତ ସ୍ଥାୟୀ ଇଞ୍ଜିନିୟରିଂ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବା ସହ ଏଥିପାଇଁ ଆବଶ୍ୟକୀୟ ବଜେଟ୍ ମଞ୍ଜୁର କରିବାକୁ ସେ ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଜଳସେଚନ ଓ ନିଷ୍କାସନ ବିଭାଗକୁ ଜୁଆରର ଆଚରଣ ଅନୁଧ୍ୟାନ କରି ଏକ ସବିଶେଷ ପ୍ରତିଷେଧକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ମଣିଷ ନୁହେଁ, ବନ୍ୟପ୍ରାଣୀ ମଧ୍ୟ ଏହା ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଗତବର୍ଷ ୮ ଲକ୍ଷରୁ ଅଧିକ କଇଁଛ ଆସିଥିବା ବେଳେ ଏଥର ମାତ୍ର ୨.୦୫ ଲକ୍ଷ କଇଁଛ ଋଷିକୁଲ୍ୟା ମୁହାଁଣ ଆଡ଼କୁ ସ୍ଥାନ ପରିବର୍ତ୍ତନ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ସ୍ଥିତି ଏମିତି ରହିଲେ ଆସନ୍ତା ବର୍ଷ ହୁଏତ କଇଁଛମାନେ ଆଉ ଏଠାକୁ ଆସି ନପାରନ୍ତି।
ଗତବର୍ଷ ୮ ଲକ୍ଷରୁ ଅଧିକ କଇଁଛ ଆସିଥିବା ବେଳେ ଏଥର ମାତ୍ର ୨.୦୫ ଲକ୍ଷ କଇଁଛ ଋଷିକୁଲ୍ୟା ମୁହାଁଣ ଆଡ଼କୁ ସ୍ଥାନ ପରିବର୍ତ୍ତନ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ସ୍ଥିତି ଏମିତି ରହିଲେ ଆସନ୍ତା ବର୍ଷ ହୁଏତ କଇଁଛମାନେ ଆଉ ଏଠାକୁ ଆସି ନପାରନ୍ତି।