ଭୁବନେଶ୍ୱର: ଆଜିକାଲି କାର୍ କିଣିବା ବେଳେ ଲୋକେ ସବୁଠାରୁ ଅଧିକ ଗୁରୁତ୍ୱ ସୁରକ୍ଷା ବା ସେଫ୍ଟି ଫିଚର୍ସ ଉପରେ ଦେଉଛନ୍ତି। ଆଉ ସୁରକ୍ଷା କଥା ଉଠିଲେ ପ୍ରଥମେ ମନକୁ ଆସେ ‘ଏୟାରବ୍ୟାଗ୍’ (Airbag)। ଆପଣ ନିଜ କାର୍ ଚଲାଉଥିବା ବେଳେ କେବେ ଭାବିଛନ୍ତି କି, ଦୁର୍ଘଟଣା ଘଟିବାର ଆଖିପିଛୁଳାକେ ଏହି ଏୟାରବ୍ୟାଗ୍ କିପରି ଆପଣାଛାଏଁ ଖୋଲିଯାଏ? ଏହା ଭିତରେ ପବନ ଭର୍ତ୍ତି ଥାଏ ନା ଆଉ କିଛି? ଆସନ୍ତୁ ଆଜି ଜାଣିବା ଆପଣଙ୍କ ଜୀବନ ବଞ୍ଚାଉଥିବା ଏହି ଉପକରଣ ପଛରେ ଥିବା ଆଶ୍ଚର୍ଯ୍ୟଜନକ ବିଜ୍ଞାନ ବିଷୟରେ।
ଅଧିକାଂଶ ଲୋକ ଭାବନ୍ତି ଯେ ଏୟାରବ୍ୟାଗ୍ ଭିତରେ ସାଧାରଣ ପବନ କିମ୍ବା କମ୍ପ୍ରେସଡ୍ ଗ୍ୟାସ୍ ଥାଏ। କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଭୁଲ୍। କାର୍ ଷ୍ଟିୟରିଂ କିମ୍ବା ଡ୍ୟାସବୋର୍ଡ ଭିତରେ ଥିବା ଏହି ବ୍ୟାଗ୍ ଭିତରେ କିଛି କଠିନ ରାସାୟନିକ ପଦାର୍ଥ ରହିଥାଏ, ଯେଉଁଥିରେ ସୋଡିୟମ୍ ଆଜାଇଡ୍ (Sodium Azide) ପ୍ରମୁଖ। ଏହା ଏକ ବିସ୍ଫୋରକ ପ୍ରକୃତିର କେମିକାଲ୍।
ଯେତେବେଳେ କାର୍ କୌଣସି ଜିନିଷ ସହ ଧକ୍କା ହୁଏ, ଗାଡ଼ିରେ ଲାଗିଥିବା ‘କ୍ରାସ୍ ସେନ୍ସର୍’ (Crash Sensor) ତୁରନ୍ତ ସକ୍ରିୟ ହୋଇଯାଏ। ଏହି ସେନ୍ସର୍ ଏୟାରବ୍ୟାଗ୍ ସିଷ୍ଟମ୍କୁ ଏକ ଇଲେକ୍ଟ୍ରିକ୍ ସିଗନାଲ୍ ପଠାଏ। ଏହି ବିଦ୍ୟୁତ୍ ସ୍ଫୁଲିଙ୍ଗ ଯୋଗୁଁ ସୋଡିୟମ୍ ଆଜାଇଡ୍ ଜଳିବାକୁ ଲାଗେ ଏବଂ ଏକ ତୀବ୍ର ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୁଏ। ଏହି ପ୍ରକ୍ରିୟାରେ ପ୍ରଚୁର ପରିମାଣର ନାଇଟ୍ରୋଜେନ୍ ଗ୍ୟାସ୍ ନିର୍ଗତ ହୋଇ ନାଇଲନ୍ରେ ତିଆରି ଏୟାରବ୍ୟାଗ୍କୁ ଫୁଲାଇ ଦିଏ।
ଆଶ୍ଚର୍ଯ୍ୟର କଥା ହେଉଛି, ଦୁର୍ଘଟଣା ଘଟିବାର ମାତ୍ର ୨୦ ରୁ ୩୦ ମିଲିସେକେଣ୍ଡ (ଆଖି ପଲକ ପଡ଼ିବାଠାରୁ ବି କମ୍ ସମୟ) ମଧ୍ୟରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇ ଏୟାରବ୍ୟାଗ୍ ଖୋଲିଯାଏ। ଖୋଲିବା ବେଳେ ଏହାର ବେଗ ଘଣ୍ଟାପ୍ରତି ପ୍ରାୟ ୩୦୦ କିଲୋମିଟରରୁ ଅଧିକ ଥାଏ।
ଅନେକ ସମୟରେ ଦୁର୍ଘଟଣା ପରେ ଏୟାରବ୍ୟାଗ୍ ଖୋଲିଲେ ଗାଡ଼ି ଭିତରେ ଧଳା ଧୂଆଁ ଖେଳିଯାଏ। ଲୋକେ ଏହାକୁ ନିଆଁ ଲାଗିଯିବା ବୋଲି ଭାବି ଭୟଭୀତ ହୋଇଯାଆନ୍ତି। କିନ୍ତୁ ବାସ୍ତବରେ ଏହା କର୍ଣ୍ଣଷ୍ଟାର୍ଚ (Cornstarch) କିମ୍ବା ଟାଲକମ୍ ପାଉଡର। ବର୍ଷ ବର୍ଷ ଧରି ଫୋଲ୍ଡ ହୋଇ ରହିଥିବା ଏୟାରବ୍ୟାଗ୍ ଯେପରି ପରସ୍ପର ସହ ଲାଗି ନଯାଏ ଏବଂ ଦରକାର ବେଳେ ସହଜରେ ଖୋଲିପାରେ, ସେଥିପାଇଁ କମ୍ପାନୀଗୁଡ଼ିକ ଏହି ପାଉଡରର ବ୍ୟବହାର କରିଥାନ୍ତି।
ଯଦିଓ ଏୟାରବ୍ୟାଗ୍ ଏକ ଚମତ୍କାର ଜୀବନରକ୍ଷକ ପ୍ରଣାଳୀ, କିନ୍ତୁ ଆପଣ ସିଟ୍ବେଲ୍ଟ ନପିନ୍ଧିଲେ ଏହା ପ୍ରାଣଘାତୀ ମଧ୍ୟ ହୋଇପାରେ। ସିଟ୍ବେଲ୍ଟ ନପିନ୍ଧିଥିଲେ ଦୁର୍ଘଟଣା ସମୟରେ ଯାତ୍ରୀ ପ୍ରବଳ ବେଗରେ ଆଗକୁ ଝୁଙ୍କି ପଡ଼ନ୍ତି ଏବଂ ୩୦୦ କିମି ବେଗରେ ଖୋଲୁଥିବା ଏୟାରବ୍ୟାଗ୍ ସିଧାସଳଖ ମୁହଁରେ ବାଜିଲେ ଗୁରୁତର ଆଘାତ ଲାଗିବାର ଆଶଙ୍କା ରହିଥାଏ। ତେଣୁ ସର୍ବଦା ସିଟ୍ବେଲ୍ଟ ପିନ୍ଧି ଗାଡ଼ି ଚଲାନ୍ତୁ।