ଭୁବନେଶ୍ୱର: ତାମିଲନାଡୁ ଘଟଣା ପରେ ସତର୍କ ହେଲା ଓଡ଼ିଶା। ସି-ଫୁଡ୍ ଶିଳ୍ପ ପାଇଁ ଗଠନ ହେଲା ରାଜ୍ୟସ୍ତରୀୟ ତ୍ରିପାକ୍ଷିକ କମିଟି। ଶ୍ରମିକ କଲ୍ୟାଣ ଓ ଆନ୍ତର୍ଜାତିକ ଶ୍ରମ ମାନଦଣ୍ଡ ପାଳନ ଉପରେ ରହିବ ନଜର। ତାମିଲନାଡୁର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ରେ ଗ୍ୟାସ୍ ଲିକ୍ ଜନିତ ଦୁର୍ଘଟଣା ପରେ ଶ୍ରମିକଙ୍କ କାର୍ଯ୍ୟ ପରିସ୍ଥିତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଆନ୍ତର୍ଜାତିକ ସ୍ତରରେ ଶ୍ରମ ମାନଦଣ୍ଡ ପାଳନକୁ ନେଇ ବଢ଼ୁଥିବା ଗୁରୁତ୍ୱ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ସତର୍କ ପଦକ୍ଷେପ ନେଇଛନ୍ତି।
ରାଜ୍ୟର ସି-ଫୁଡ୍ ପ୍ରକ୍ରିୟାକରଣ ଶିଳ୍ପରେ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଆନ୍ତର୍ଜାତିକ ଶ୍ରମ ମାନଦଣ୍ଡର ପାଳନ ସୁନିଶ୍ଚିତ କରିବା ପାଇଁ ଶ୍ରମ ଓ ଇଏସ୍ଆଇ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ତ୍ରିପାକ୍ଷିକ କମିଟି ଗଠନ କରାଯାଇଛି। କମିଟିର ଅଧ୍ୟକ୍ଷ ଭାବେ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରମୁଖ ସଚିବ ରହିବେ। ଶ୍ରମ ଆୟୁକ୍ତ ସଦସ୍ୟ-ଆବାହକ ଦାୟିତ୍ୱ ତୁଲାଇବେ। ଏହାବ୍ୟତୀତ ମତ୍ସ୍ୟ ବିଭାଗ, କାରଖାନା ଓ ବଏଲର ନିର୍ଦ୍ଦେଶାଳୟ, ଏମ୍ପିଇଡିଏ, ଏକ୍ସପୋର୍ଟ ଇନ୍ସପେକ୍ସନ୍ ଏଜେନ୍ସି , ସି-ଫୁଡ୍ ପ୍ରକ୍ରିୟାକରଣ ସଂସ୍ଥା ଏବଂ ଶ୍ରମିକ ସଂଗଠନର ପ୍ରତିନିଧିମାନେ କମିଟିରେ ସାମିଲ ହେବେ ।
ସୂଚନା ଥାଉକି ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଓଡ଼ିଶାର ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଏହି ଘଟଣା ପରେ ସତର୍କ ହୋଇଛି ଓଡ଼ିଶା।