ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ଦାନରେ ମିଳିଥିବା ୧୫୧ କିଲୋଗ୍ରାମ ସୁନା ଖଚିତ ରାମଚରିତମାନସ ସମ୍ପର୍କରେ ଏକ ନୂଆ ବିବାଦ ଦେଖାଦେଇଛି। ରାମ ମନ୍ଦିର ଟ୍ରଷ୍ଟକୁ ଏହି ମୂଲ୍ୟବାନ ଗ୍ରନ୍ଥ ଦାନ କରିଥିବା ପୂର୍ବତନ ଗୃହ ସଚିବ ଏସ. ଲକ୍ଷ୍ମୀନାରାୟଣନ ଦାବି କରିଛନ୍ତି ଯେ ତାଙ୍କୁ ଦାନ ପାଇଁ କୌଣସି ରସିଦ କିମ୍ବା ସରକାରୀ ସ୍ୱୀକୃତି ମିଳିନାହିଁ।ରାମଚରିତମାନସ ବର୍ତ୍ତମାନ କେଉଁଠି ଅଛି ତାହା ମଧ୍ୟ ସେ ଜାଣନ୍ତି ନାହିଁ। ଯାହାପରେ ମୁଁହ ଖୋଲିଛି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ।
ଟ୍ରଷ୍ଟ ସ୍ପଷ୍ଟ କରିଛି ଯେ ପ୍ରାୟ ଦୁଇ ବର୍ଷ ପୂର୍ବେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଲକ୍ଷ୍ମୀନାରାୟଣଙ୍କ ଦ୍ୱାରା ଦାନ କରାଯାଇଥିବା ସୁନା ଖଚିତ ରାମଚରିତମାନସ ସୁରକ୍ଷିତ ଅଛି।
ପୂର୍ବତନ ଆଇଏଏସ୍ ଅଧିକାରୀ ଶନିବାର ଏକ ସୋସିଆଲ ମିଡିଆ ସାକ୍ଷାତକାରରେ କହିଥିଲେ ଯେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏବଂ ରାମ ମନ୍ଦିର ଟ୍ରଷ୍ଟକୁ ଦାନ କରାଯାଇଥିବା ସୁନା ରାମାୟଣ ମଧ୍ୟ ଚୋରି ହୋଇଯାଇଛି। ଏହା ପରେ ରବିବାର ରାମ ମନ୍ଦିର ନିର୍ମାଣ ସହାୟକ ଗୋପାଳ ରାଓ ସୂଚନା ଦେଇଛନ୍ତି ଯେ ଦାତାଙ୍କ ଇଚ୍ଛା ଅନୁଯାୟୀ ଏହାକୁ ଶ୍ରୀ ରାମ ଲଲ୍ଲାଙ୍କ ଗର୍ଭଗୃହ ସମ୍ମୁଖରେ ସମ୍ମାନର ସହିତ ରଖାଯାଇଥିଲା।
ଏହା ପରେ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ, ମନ୍ଦିରର ଗୁହା ମଣ୍ଡପରେ ଥିବା ଅଳଙ୍କାର ଆଲମାରୀରେ ରାମଚରିତମାନସକୁ ସୁରକ୍ଷିତ ଭାବରେ ରଖାଯାଇଥିଲା। ଏହି ଦାନକୁ ସେହି ସମୟରେ ମନ୍ଦିରର ଦାନ ରେଜିଷ୍ଟରରେ ରେକର୍ଡ କରାଯାଇଥିଲା। ଏଥିରେ କୁହାଯାଇଛି ଯେ ଶ୍ରୀ ଲକ୍ଷ୍ମୀନାରାୟଣ ଯେତେବେଳେ ଚାହିଁବେ ମନ୍ଦିର ପରିଦର୍ଶନ କରିପାରିବେ ଏବଂ ତାଙ୍କର ଉପହାର ଦେଖିପାରିବେ। ରାମଚରିତମାନସ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହା ବିଷୟରେ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ।
ଅପରପକ୍ଷରେ ଲକ୍ଷ୍ମୀନାରାୟଣନ କହିଛନ୍ତି ଯେ ସେ ୮ ଏପ୍ରିଲ, ୨୦୨୪ରେ ରାମ ମନ୍ଦିର ଟ୍ରଷ୍ଟକୁ ସୁନା ଖଚିତ ରାମଚରିତମାନସ ପ୍ରଦାନ କରିଥିଲେ। ତାଙ୍କ ଅନୁସାରେ ସେ ଗ୍ରନ୍ଥ ପ୍ରସ୍ତୁତ କରିବା ପାଇଁ ତାଙ୍କ ମାଆ ଏବଂ ପତ୍ନୀଙ୍କ ଅଳଙ୍କାରକୁ ତରଳାଇ ଥିଲେ।
ପୂର୍ବତନ ଗୃହ ସଚିବ ଦାବି କରିଛନ୍ତି ଯେ ଯେତେବେଳେ ସେ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ସହ କଥା ହୋଇଥିଲେ। ସେତେବେଳେ ଚମ୍ପତ ରାୟ କହିଥିଲେ “ମୁଁ ଯାହା ଚାହିଁବି ତାହା ମନ୍ଦିରରେ ହେବ।” ଲକ୍ଷ୍ମୀନାରାୟଣନ କହିଥିଲେ ଯେ ମନ୍ଦିର କୌଣସି ବ୍ୟକ୍ତିଙ୍କ ସମ୍ପତ୍ତି ନୁହେଁ ବରଂ ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସର କେନ୍ଦ୍ର ଏବଂ ଏହାର ନିର୍ମାଣ ୫୦୦ ବର୍ଷର ସଂଘର୍ଷ ପରେ ସମ୍ଭବ ହୋଇପାରିଛି।