Latest Odisha News

BREAKING NEWS

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି;ଗୁଡାରୀକୁ ରେଳ ସଂଯୋଗ ପାଇଁ…

ଗୁଡ଼ାରୀ:କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ରାୟଗଡା ଜିଲ୍ଲାର ଗୁଡାରି ବ୍ଲକକୁ ରେଳ ସଂଯୋଗ ଦାବି କରିଛନ୍ତି । ପ୍ରସ୍ତାବିତ ଗୋପାଳପୁର-ରାୟଗଡ଼ା ନୂତନ ରେଳ ଲାଇନର ପୁନଃ ସର୍ବେକ୍ଷଣ ଦାବି କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀଙ୍କୁ ପତ୍ର ଲେଖିଛନ୍ତି ସାଂସଦ । ଏହି ରେଳପଥ ଜିଲାର ପଦ୍ମପୁର ନିକଟସ୍ଥ ଆଖୁସିଙ୍ଗରୁ ଗୁଡ଼ାରୀ ଦେଇ ରାମନାଗୁଡ଼ା ବ୍ଲକର ବାଙ୍କିଲି ନିକଟରେ ବର୍ତ୍ତମାନର ପ୍ରସ୍ତାବିତ ଗୁଣୁପୁର ଥେରୁବାଲି ରେଳପଥ ସହ ସଂଯୋଗ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଚିଠିରେ ଏମ୍‌ପି ଉଲ୍ଲେଖ କରିଛନ୍ତି ଯେ, ରାମନାଗୁଡ଼ା ନିକଟରେ ବର୍ତ୍ତମାନ ପ୍ରସ୍ତାବିତ ଗୋପାଳପୁର-ରାୟଗଡ଼ା ରେଳପଥ ସଂଯୋଗ କରୁଥିବାବେଳେ ଏହାକୁ ପରିବର୍ତ୍ତନ କରି ବାଙ୍କିଲି ନିକଟରେ ସଂଯୋଗ କରାଗଲେ ରେଳପଥର ଦୂରତା ପ୍ରାୟ ୧୨ରୁ ୧୫ କିଲୋମିଟର ପର୍ଯ୍ୟନ୍ତ କମିବ। ଏହାଛଡ଼ା ରାୟଗଡ଼ା ଜିଲାର ୧୦ମ ବ୍ଲକ ଭାବେ ଗୁଡ଼ାରୀ ସିଧାସଳଖ ରେଳପଥ ସହ ଯୋଡ଼ିହେବ। ପ୍ରସ୍ତାବିତ ରେଳପଥ ଗୁଡ଼ାରୀ ଓ ପଦ୍ମପୁର ବ୍ଲକ ମଧ୍ୟଦେଇ ଅତିକ୍ରମ କରିବା ଫଳରେ ଉଭୟ ବ୍ଲକ୍‌ର ପାଖାପାଖି ୨ ଲକ୍ଷ ଲୋକ ରେଳ ସେବାର ସୁବିଧା ପାଇପାରିବେ।

ଗୁଡ଼ାରି ଅଞ୍ଚଳକୁ ରେଳ ସଂଯୋଗ ହେଲେ, ଏହା କେବଳ ଯାତାୟତ ସମସ୍ୟା ଦୂର କରିବ ନାହିଁ, ବରଂ ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା, ବଜାର ଏବଂ ନୂତନ ନିଯୁକ୍ତି ସୁଯୋଗ ପ୍ରଦାନ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ଏହି ଦୀର୍ଘଦିନର ନ୍ୟାୟୋଚିତ ଦାବିକୁ ରେଳ ବୋର୍ଡ ସକାରାତ୍ମକ ଭାବେ ବିଚାର କରିବ ବୋଲି ସାଂସଦ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।

ସେହିପରି ଚନ୍ଦ୍ରପୁର ବ୍ଲକ ମଧ୍ୟ ଗୁଡ଼ାରୀ ରେଳ ଷ୍ଟେସନ ଉପରେ ନିର୍ଭର କରିବ ଯାହା ଫଳରେ ସମଗ୍ର ଅଞ୍ଚଳର ଗମନା ଗମନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ।

ସ୍ଥାନୀୟ ବୁଦ୍ଧିଜୀବୀ, ‘ୟୁଥ ଫର ଚେଞ୍ଜ’ ଯୁବଗୋଷ୍ଠୀ, ବିଭିନ୍ନ ସାମାଜିକ ସଂଗଠନ ଏବଂ ‘ଗୁଡାରୀ ଉନ୍ନୟନ ପରିଷଦ’ର ସଦସ୍ୟମାନେ ଏମ୍‌ପିଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ।

Leave A Reply

Your email address will not be published.