Karnataka Minister Told Exit: ଖୁଚୁରା ନଥିବାରୁ ପରିବହନ ମନ୍ତ୍ରୀଙ୍କୁ ବସରୁ ସିଧା ଓହ୍ଲାଇ ଯିବାକୁ କହିଲା କଣ୍ଡକ୍ଟର…
ବେଙ୍ଗାଲୁରୁ: ସାଧାରଣ ଲୋକଙ୍କ ଭଳି ମାସ୍କ ପିନ୍ଧି ବସ୍ରେ ଚଢ଼ିଲେ ଖୋଦ୍ ପରିବହନ ମନ୍ତ୍ରୀ। ୧୦୦ ଟଙ୍କାର ନୋଟ୍ ଦେଇ ଟିକେଟ୍ ନେବାକୁ ଯିବାବେଳେ କଣ୍ଡକ୍ଟରଙ୍କ ଉତ୍ତର ଶୁଣି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। କଣ୍ଡକ୍ଟର କହିଥିଲେ, “ଖୁଚୁରା ନାହିଁ, ତଳକୁ ଓହ୍ଲାଇ ପଡ଼ନ୍ତୁ।” ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଘଟିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ।
କର୍ଣ୍ଣାଟକ ପରିବହନ ମନ୍ତ୍ରୀ ବି. ସୁରେଶ ଶନିବାର ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ବେଙ୍ଗାଲୁରୁ ମହାନଗର ପରିବହନ ନିଗମ (BMTC)ର ବସ୍ ସେବାର ମାନ ପରଖିବା ପାଇଁ ସିକ୍ରେଟ ଭିଜିଟ୍ କରିଥିଲେ। ସନ୍ଧ୍ୟା ୭ଟା ୧୦ରୁ ରାତି ୯ଟା ୧୦ ପର୍ଯ୍ୟନ୍ତ ସେ ମାସ୍କ ପିନ୍ଧି ସାଧାରଣ ଯାତ୍ରୀ ସାଜି ସହରର ୧୦ରୁ ଅଧିକ ବସ୍ରେ ଯାତ୍ରା କରିଥିଲେ।
ଏହି ସମୟରେ ସେ ଜୟମହଲ, ଆର୍ଟି ନଗର, ହେବ୍ବାଲ, ନାଗଭାରା, ହେନ୍ନୁର ଓ ଗେଦ୍ଦାଲାହାଲ୍ଲି ଭଳି ଅଞ୍ଚଳ ବୁଲିଥିଲେ। ଯାତ୍ରୀମାନଙ୍କ ସହ ସିଧାସଳଖ କଥା ହୋଇ ବସ୍ ସେବାର ଗୁଣବତ୍ତା ଏବଂ ସେମାନଙ୍କ ସମସ୍ୟା ବିଷୟରେ ଜାଣିଥିଲେ। ଯାଞ୍ଚ ବେଳେ ହେବ୍ବାଲ-ନାଗଶେଟ୍ଟିହଲ୍ଲି ରୁଟ୍ର ଏକ ବସ୍ରେ ସେ ୧୦୦ ଟଙ୍କାର ନୋଟ୍ ଦେଇ ଟିକେଟ୍ ମାଗିଥିଲେ। କିନ୍ତୁ କଣ୍ଡକ୍ଟର ଖୁଚୁରା ଟଙ୍କା ନଥିବା କହି ତାଙ୍କୁ ବସ୍ରୁ ଓହ୍ଲାଇଯିବାକୁ କହିଥିଲେ। ଏହା ଯାତ୍ରୀମାନେ ପ୍ରତିଦିନ ସାମ୍ନା କରୁଥିବା ଏକ ବଡ଼ ସମସ୍ୟା ବୋଲି ମନ୍ତ୍ରୀ ଅନୁଭବ କରିଥିଲେ।
ଏଥିସହ ଅନ୍ୟ ଏକ ଘଟଣାରେ KA-57-F-3372 ନମ୍ବର ବସ୍ର ଚାଳକ ଓ କଣ୍ଡକ୍ଟରଙ୍କୁ ନିଲମ୍ବନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଜଣେ ଯାତ୍ରୀ ସଙ୍କେତ ଦେଇଥିଲେ ମଧ୍ୟ ବସ୍ଟି ଫନ୍ ୱାର୍ଲ୍ଡ ବସ୍ଷ୍ଟପ୍ରେ ଅଟକିନଥିଲା। ଏହାଛଡ଼ା ନାଗଶେଟ୍ଟିହଲ୍ଲିରେ ଜଣେ ଅଟୋ ଚାଳକ ମିଟରରେ ୩୦ ଟଙ୍କା ଦେଖାଯାଉଥିବା ସତ୍ତ୍ୱେ ୩୬ ଟଙ୍କା ଭଡ଼ା ମାଗୁଥିବାରୁ ମନ୍ତ୍ରୀ ତାଙ୍କୁ ତାଗିଦ କରିଥିଲେ।
ବି. ସୁରେଶ କହିଛନ୍ତି, ଜନସାଧାରଣଙ୍କୁ ଉନ୍ନତ ଓ ନିର୍ଭରଯୋଗ୍ୟ ପରିବହନ ସେବା ଯୋଗାଇବା ପାଇଁ ଏଭଳି ଆକସ୍ମିକ ଯାଞ୍ଚ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହାଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ଶୃଙ୍ଖଳା ବଜାୟ ରହିବା ସହ ଯାତ୍ରୀମାନେ ଉତ୍ତମ ସେବା ପାଇପାରିବେ।