Latest Odisha News

BREAKING NEWS

ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଅଗଷ୍ଟ ୧୫ ସୁଦ୍ଧା ମୁକୁଳିବେ ଏହି ହାଇ-ପ୍ରୋଫାଇଲ୍ ଅପରାଧୀ!

ନୂଆଦିଲ୍ଲୀ: ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜେଲର ଚାରି କାନ୍ଥ ଭିତରେ ବନ୍ଦୀ ଜୀବନ କାଟୁଥିବା ଜଣେ ହାଇ-ପ୍ରୋଫାଇଲ୍ ଅପରାଧୀଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଓଡ଼ିଶା ତଥା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ଏକ ବର୍ବର ହତ୍ୟାକାଣ୍ଡର ମୁଖ୍ୟ ନାୟକ ଏବେ କାରାଗାରରୁ ମୁକୁଳିବାକୁ ଯାଉଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପରେ ଏବେ ରାଜ୍ୟ ପ୍ରଶାସନ ଓ ଆଇନ ମହଲରେ ତତ୍ପରତା ପ୍ରକାଶ ପାଇଛି।

 

ଏହି ବହୁଚର୍ଚ୍ଚିତ ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ଦାରା ସିଂହ। ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦାରା ସିଂହଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ସିଧାସଳଖ ନିର୍ଦ୍ଦେଶ ଦେଇଛନ୍ତି। ଦାରାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଗଣମାଧ୍ୟମକୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

 

ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲା ମନୋହରପୁରଠାରେ ଘଟିଥିବା ସେହି ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅ ଫିଲିପ୍ ଓ ଟିମୋଥିଙ୍କୁ ରାତି ଅଧରେ ଗାଡ଼ି ଭିତରେ ଶୋଇଥିବା ବେଳେ ଜୀବନ୍ତ ଦଗ୍ଧ କରିଦିଆଯାଇଥିଲା। ଏହି ନୃଶଂସ ତଥା ଅମାନବୀୟ କାଣ୍ଡରେ ସମ୍ପୃକ୍ତି ପାଇଁ ଦାରା ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

 

ଦୀର୍ଘ ବର୍ଷ ଧରି ସେ ଜେଲରେ ଦଣ୍ଡ ଭୋଗୁଥିବା ବେଳେ, ତାଙ୍କର ମୁକ୍ତି ପାଇଁ ଆଇନଗତ ଲଢ଼େଇ ଜାରି ରହିଥିଲା। ଦାରା ସିଂହ ଦୀର୍ଘ ୨୪ ବର୍ଷରୁ ଊର୍ଦ୍ଧ୍ୱ ସମୟ କାରାଗାରରେ ବିତାଇ ସାରିଲେଣି। ଜଣେ ଆଜୀବନ ସଜା କାଟୁଥିବା କଏଦୀର ଦୀର୍ଘ ଦିନର ବନ୍ଦୀ ଜୀବନ ଏବଂ ଆଇନଗତ ପ୍ରାବଧାନ (ରିମିସନ୍ ପଲିସି) କୁ ଭିତ୍ତି କରି ତାଙ୍କ ଆଇନଜୀବୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ଦିଗକୁ ତର୍ଜମା କରିବା ପରେ ଏହି ବହୁଚର୍ଚ୍ଚିତ ମାମଲାରେ ଦାରା ସିଂହଙ୍କୁ ମୁକ୍ତ କରିବାକୁ ରାୟ ଶୁଣାଇଛନ୍ତି।

 

ସ୍ୱାଧୀନତା ଦିବସ ପୂର୍ବରୁ ଦାରା ସିଂହଙ୍କୁ ମୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କୁ ସମୟସୀମା ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.