Latest Odisha News

BREAKING NEWS

ଖୋଲୁଛି ନକଲି IASଙ୍କ ଗୁମର: ଭୁବନେଶ୍ୱର ପରେ ବ୍ରହ୍ମପୁରରେ ମହାଠକେଇ, ଝାରପଡ଼ା ଜେଲରୁ ରିମାଣ୍ଡରେ ଆଣିଲା ସ୍ପେଶାଲ୍ ସ୍କ୍ୱାଡ୍

ବ୍ରହ୍ମପୁର: କେତେବେଳେ ନିଜକୁ ସବ୍-କଲେକ୍ଟର ତ ଆଉ କେତେବେଳେ ବରିଷ୍ଠ ଆଇଏଏସ୍ (IAS) ଅଧିକାରୀ ବୋଲି ପରିଚୟ ଦେଉଥିଲା। ଦାମୀ ପୋଷାକ ଓ କଥାବାର୍ତ୍ତାର ଚାତୁରୀରେ ବଡ଼ ବଡ଼ ଦୋକାନୀଙ୍କୁ ଭୁଆଁ ବୁଲାଉଥିଲା। ଶେଷରେ ପୋଲିସ ହାତରେ ଧରାପଡ଼ିବା ପରେ ଏବେ ଗୋଟିଏ ପରେ ଗୋଟିଏ ସହରରୁ ତା’ର ଠକାମୀର କଳା କାହାଣୀ ସାମ୍ନାକୁ ଆସିବାରେ ଲାଗିଛି। ଏହି ବହୁଚର୍ଚ୍ଚିତ ନକଲି ଆଇଏଏସ୍ ଅଫିସର ବରୋଦା ସୁଧୀରକୁ ବ୍ରହ୍ମପୁର ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଝାରପଡ଼ା ଜେଲରୁ ରିମାଣ୍ଡରେ ଆଣିଛି।

 

ଭୁବନେଶ୍ୱରରେ ଗିରଫ ହେବା ପରେ ବରୋଦା ସୁଧୀରର ବ୍ରହ୍ମପୁର ଲିଙ୍କ୍ ପଦାକୁ ଆସିଥିଲା। ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତ ଜଣକ ବ୍ରହ୍ମପୁର ଗାନ୍ଧିନଗର ଥାନା ଅଞ୍ଚଳରେ ଥିବା ଏକ ନାମୀ ବେକେରୀ ଏବଂ ଲୁଗା ଦୋକାନରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ କିଣିଥିଲା। ନିଜକୁ ଜଣେ ପ୍ରଭାବଶାଳୀ ଆଇଏଏସ୍ ଅଧିକାରୀ ଭାବେ ପରିଚୟ ଦେଇ ସେ ଦୋକାନୀମାନଙ୍କୁ ବିଶ୍ୱାସକୁ ନେଇଥିଲା ଏବଂ ବିନା ପଇସାରେ ସାମଗ୍ରୀ ଧରି ଫେରାର୍ ହୋଇଯାଇଥିଲା। କେବଳ ସେତିକି ନୁହେଁ, ଅଧିକାରୀ ବେଶରେ ରୋବାବ୍ ଦେଖାଇ ଗୋଟିଏ ଟ୍ୟାକ୍ସି ବୁକ୍ କରି ସେଥିରେ ବୁଲିବା ପରେ ତା’ର ଭଡ଼ା ମଧ୍ୟ ଦେଇନଥିଲା। ଏହି ଘଟଣାକୁ ନେଇ ବ୍ରହ୍ମପୁର ଟାଉନ୍ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା ଓ ପୋଲିସ ତାକୁ ଖୋଜୁଥିଲା।

 

ଅଭିଯୁକ୍ତ ବରୋଦା ସୁଧୀରର ଘର ମୂଳତଃ ଆନ୍ଧ୍ରପ୍ରଦେଶରେ। ସେ ଓଡ଼ିଶାର ବିଭିନ୍ନ ସହର ବୁଲି ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ଆସୁଥିଲା। ଗତ ଜୁନ୍ ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ପୋଲିସ ତା’ର ଅସଲ ମୁଖା ଖୋଲିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଗିରଫଦାରୀ ଖବର ପ୍ରସାରିତ ହେବା ପରେ ଧୀରେ ଧୀରେ ବ୍ରହ୍ମପୁର ସମେତ ଅନ୍ୟ ସ୍ଥାନରୁ ମଧ୍ୟ ତା’ ନାମରେ ଅଭିଯୋଗ ଆସିବା ଆରମ୍ଭ ହୋଇଥିଲା।

 

ପୋଲିସ ରେକର୍ଡରୁ ଜଣାପଡ଼ିଛି ଯେ, ବରୋଦା ସୁଧୀରର ଅପରାଧିକ ଇତିହାସ ବେଶ୍ ଲମ୍ବା। ପୂର୍ବରୁ ସେ ୟୁପିଆଇ (UPI) ଠକେଇ ଭଳି ସାଇବର ଫ୍ରଡ୍ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବାର ନଜିର ରହିଛି। ଜେଲରୁ ବାହାରିବା ପରେ ସେ ପୋଷାକ ବଦଳାଇ ସିଧା ଆଇଏଏସ୍ ଅଫିସର ସାଜିଥିଲା। ଏବେ ବ୍ରହ୍ମପୁର ପୋଲିସ ତାକୁ ରିମାଣ୍ଡରେ ଆଣି ଅଧିକ ଜେରା କରୁଛି। ତଦନ୍ତ ବେଳେ ତା’ର ଆଉ କେଉଁ ସହରରେ ନେଟୱର୍କ ରହିଛି ଏବଂ ସେ କେତେ ଲୋକଙ୍କୁ ଚୂନ ଲଗାଇଛି, ସେ ସବୁର ସାଂଘାତିକ ତଥ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି।

Leave A Reply

Your email address will not be published.