CJI On CJP Protest: ‘ସମୟ ନଷ୍ଟ କରନ୍ତୁ ନାହିଁ…’, ଛାତ୍ରଙ୍କ ଉପରେ ପୋଲିସ ଲାଠିଚାର୍ଜ ମାମଲାରେ ସିଜେଆଇଙ୍କ କଡା ଟିପ୍ପଣୀ, ତତ୍କାଳ ଶୁଣାଣିକୁ କଲେ ମନା
ନୂଆଦିଲ୍ଲୀ: ନିଟ୍ ଓ ଅନ୍ୟାନ୍ୟ ପରୀକ୍ଷାରେ ପେପର ଲିକ୍ ଅଭିଯୋଗକୁ ନେଇ ସଂସଦ ଅଭିମୁଖେ ଛାତ୍ର ସଂଗଠନ ସିଜେପି (CJP) ପକ୍ଷରୁ ଜୁଲାଇ ୨୦ରେ କରାଯାଇଥିବା ପଦଯାତ୍ରା ବେଳେ ଦିଲ୍ଲୀ ପୋଲିସର ଲାଠିଚାର୍ଜ ଓ ବଳପ୍ରୟୋଗ ଘଟଣାରେ ତତ୍କାଳ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରିଦେଇଛନ୍ତି। ଏହାସହ ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏହି ମାମଲାରେ କଡ଼ା ଟିପ୍ପଣୀ ମଧ୍ୟ ଦେଇଛନ୍ତି।
ଶୁଣାଣି ବେଳେ ଜଣେ ଆଇନଜୀବୀ ଦାବି କରିଥିଲେ ଯେ, ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଅତ୍ୟାଚାରର ଭିଡିଓ ପ୍ରମାଣ ଉପଲବ୍ଧ ରହିଛି। ଏହାର ଜବାବରେ ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ, “ଆମର ସମୟ ନଷ୍ଟ କରନ୍ତୁ ନାହିଁ। ଆମେ ଭିଡିଓରେ ଆଗ୍ରହୀ ନୁହେଁ। ଭିଡିଓ ଦେଖିବାକୁ ଆମ ପାଖରେ ସମୟ ନାହିଁ।” ଏହା ସହ ସେ ସ୍ୱତଃପ୍ରବୃତ୍ତ (ସୁଓ ମୋଟୋ) ମାମଲା ରୁଜୁ କରିବାକୁ ମଧ୍ୟ ମନା କରିଦେଇଥିଲେ।
ତେବେ ନିଟ୍ ପେପର ଲିକ୍, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ଦୀର୍ଘ ଦିନ ଧରି ଜନ୍ତର-ମନ୍ତରରେ ଆନ୍ଦୋଳନ କରୁଥିଲା। ଏହି ଆନ୍ଦୋଳନରେ ପରିବେଶବିତ୍ ସୋନମ ୱାଙ୍ଗଚୁକ ମଧ୍ୟ ଅନଶନରେ ବସିଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୨୦ରେ ଆନ୍ଦୋଳନକାରୀମାନେ ସଂସଦ ଅଭିମୁଖେ ମାର୍ଚ୍ଚ କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହି ଘଟଣାରେ ବହୁ ଛାତ୍ର ଆହତ ହୋଇଥିବାବେଳେ କିଛି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ।
ଆନ୍ଦୋଳନକାରୀମାନଙ୍କ ଦାବି ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର, ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ, ପୋଲିସ ବଳପ୍ରୟୋଗ ଘଟଣାର ନିରପେକ୍ଷ ତଦନ୍ତ ହେଉ ବୋଲି ଦାବି ରହିଛି ।
ତେବେ ଛାତ୍ର ଆନ୍ଦୋଳନକୁ କଂଗ୍ରେସ ସହ ବିଭିନ୍ନ ବିରୋଧୀ ଦଳ ସମର୍ଥନ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଡିମ୍ପଲ ଯାଦବ ଏବଂ ଆମ୍ ଆଦମୀ ପାର୍ଟିର ଆତିଶୀ, ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ ପ୍ରମୁଖ ଛାତ୍ରଙ୍କ ସମର୍ଥନରେ ପ୍ରତିବାଦରେ ସାମିଲ ହୋଇଥିଲେ ଏବଂ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ସଂସଦରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଆନ୍ଦୋଳନର ତାତି ସେଠି ମଧ୍ୟ ଦେଖିବାକୁ ମିଳିଛି ।
ତେବେ ସୁପ୍ରିମକୋର୍ଟ ତତ୍କାଳ ଶୁଣାଣିକୁ ମନା କରିଥିଲେ ମଧ୍ୟ, ଏହି ଘଟଣାକୁ ନେଇ ଦେଶର ରାଜନୀତି ଓ ନ୍ୟାୟିକ ମହଲରେ ଚର୍ଚ୍ଚା ଜାରି ରହିଛି।