Latest Odisha News

BREAKING NEWS

ବିଜେଡି ଜିଲ୍ଲା ସଭାପତିମାନଙ୍କୁ ଭେଟିଲେ ନବୀନ; ଯୋଗ୍ୟ ଭୋଟରଙ୍କ ନାମ ନ କଟେ ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ

ଭୁବନେଶ୍ୱର: ୭ ଦିନିଆ ଦିଲ୍ଲୀ ଗସ୍ତ ସାରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିଛନ୍ତି। ସାଙ୍ଗଠନିକ କାର୍ଯ୍ୟକ୍ରମ, ପଞ୍ଚାୟତ ନିର୍ବାଚନ ଓ SIR ସମ୍ପର୍କରେ ଆଲୋଚନା କରିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ନବୀନ କହିଛନ୍ତି, ଏବେ ରାଜ୍ୟରେ SIR ର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ପର୍ଯ୍ୟାୟରେ ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ ନପଡେ ସେଥିପ୍ରତି ସଜାଗ ରହିବେ।

ଏଥିସହିତ ଦଳର ବୁଥ୍‌ ଲେଭଲ ଏଜେଣ୍ଟ ମାନଙ୍କୁ ସଚେତନ କରିବାକୁ ଜିଲ୍ଲା ସଭାପତି ମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ୨୮ ତାରିଖରେ ଏ ସମ୍ପର୍କରେ ସେ ପୁଣି ଥରେ ସମୀକ୍ଷା କରିବେ ବୋଲି ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମକୁ ଆହୁରି ବ୍ୟାପକ କରି ଏହା ଜରିଆରେ ତୃଣମୁଳ ସ୍ତରରେ ଆମର କାର୍ଯ୍ୟକ୍ରମକୁ ପହଞ୍ଚାଇବାକୁ ବୋଲି ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ।
ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପର୍କରେ ଆଲୋଚନା କରି ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବିପୁଳ ସଫଳତା ହାସଲ କରିଥିଲା ଏବଂ ଆଗାମୀ ନିର୍ବାଚନରେ ମଧ୍ୟ ଏହି ସଫଳତାକୁ ବିଜେଡି ପୁନରାବୃତ୍ତି କରିବ।

ଏଥିପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ଆଗାମୀ ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ଗଠନ କରିବା ସହ ଖୁବ୍‌ ଶୀଘ୍ର ପଞ୍ଚାୟତ ଓ ୱାର୍ଡ ସ୍ତରୀୟ କମିଟି ଗଠନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଆଗାମୀ ସେପ୍ଟେମ୍ବର ମାସରେ ସେ କମିଟି ଗୁଡିକ ସହ ଆଲୋଚନା କରିବେ ବୋଲି ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ।

ନବୀନ କହିଥିଲେ ଯେ ବିଜେଡି ସବୁବେଳେ ଛାତ୍ରଛାତ୍ରୀଙ୍କ ସହ ରହିଛି ଓ ଛାତ୍ରଛାତ୍ରୀଙ୍କୁ ଆମର ନୈତିକ ସମର୍ଥନ ଜାରି ରହିବ। ଏହି ବୈଠକରେ ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସମେତ ଦଳର ବରିଷ୍ଠ ନେତା ଏବଂ ଚାଳିଷଟି ସାଂଗଠନିକ ଜିଲ୍ଲାର ସଭାପତିମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଅନ୍ୟପଟେ ସିଜେପି ଆନ୍ଦୋଳନକୁ ନେଇ ଓଡ଼ିଶାରେ କମ୍ପନ ଦେଖିବାକୁ ମିଳିଛି। ରାସ୍ତାକୁ ଓହ୍ଲାଇଲେ ଶାସକ-ବିରୋଧୀ। ନବୀନଙ୍କ ଆଟାକିଂ ମୋଡ୍ ପରେ ବିଜେପି କରିଛି କାଉଣ୍ଟର। ତେବେ ନବୀନ କାହିଁକି ହଠାତ୍ ଆସି କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ ନେଲେ ତାକୁ ନେଇ ସବୁଠି ଚର୍ଚ୍ଚା। ଅପରପକ୍ଷେ ବିଜେପି କହିଛି ନିଜ ଦଳକୁ ବଞ୍ଚାଇବା ପାଇଁ ଏଭଳି ବୟାନବାଜି କରୁଛନ୍ତି ନବୀନ। ଏହାରି ଭିତରେ ଛାତ୍ର ସଂଗଠନ ଗୁଡ଼ିକର ଆନ୍ଦୋଳନ ତେଜିଛି।

Leave A Reply

Your email address will not be published.