Latest Odisha News

BREAKING NEWS

ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ଉପରେ ପୋଲିସର ଦମନଲୀଳା ପ୍ରତିବାଦରେ ଓଜେସିର ବିକ୍ଷୋଭ

ଭୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ବିଭିନ୍ନ ପରୀକ୍ଷାରେ ବାରମ୍ବାର ଘଟୁଥିବା ସାଂଘାତିକ ତୃଟି ବିରୁଦ୍ଧରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରତ ଛାତ୍ରମାନଙ୍କ ଉପରେ ପୋଲିସର ଅମାନବୀୟ ଦମନଲୀଳା ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ସଭାପତି ଇଂ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଶତାଧିକ ଯୁବକ ଓ ମହିଳାମାନେ ଏକାଠି ହୋଇ ସରକାରଙ୍କର ଏହି ଦମନଲୀଳାର ପ୍ରତିବାଦ କରିଥିଲେ।

ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ଉପାୟରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ, ପୋଲିସ ଲଗାଇ ଲାଠି ଚାର୍ଜ କରିବା, ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସରକାରଙ୍କର ଯୁବପିଢି ପ୍ରତି ଥିବା ଭୟକୁ ପ୍ରତିପାଦିତ କରୁଛି। ଯୁବପିଢିଙ୍କୁ ରୋଜଗାରକ୍ଷମ କରିବାରେ ବିଫଳ ସରକାର ସେମାନଙ୍କର ନାର୍ଯ୍ୟ ଦାବି ପାଇଁ ଉଠୁଥିବା ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଭାପତି ଇଂ ମହମ୍ମଦ ମୋକିମ୍ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖିଥିଲେ। ଓଜେସି ଜେନ୍-ଜି ଓ ଯୁବପିଢିଙ୍କ ଦଳ । ସେମାନଙ୍କ ଉପରେ ଅତ୍ୟାଚାର ହେଲେ କଦାଚିତ ବରଦାସ୍ତ କରାଯିବ ନାହିଁ ଓ ଓଜେସି ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ସେ ପ୍ରକାଶ କରିଥିଲେ। ଦଳମତ ନିର୍ବିଶେଷରେ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ତଥା ଭାରତବର୍ଷ ଗଢ଼ିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସେମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ସେ ଆହ୍ୱାନ କରିଥିଲେ ।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ବଦ୍ରିନାରାୟଣ ମହାନ୍ତି, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ରାକେଶ ବେହେରା, ଅନିତା ରାଉତ, ଚାରୁଲତା ସାହୁ, ପ୍ରଭାତୀ ପଟ୍ଟନାୟକ, ପ୍ରଗତି ରଥ, ସତ୍ୟବ୍ରତ ଦେ, ଭି. ଶୁଭମ୍ ରାଜୁ, ହରବିନ୍ଦର ସିଂ, ମହମ୍ମଦ ସଲାଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.